ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି ରାଜ୍ୟ ସରକାର !

1 min read

ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ଲୋକେ ମରିବା ଘଟଣାରେ ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି କି ରାଜ୍ୟ ସରକାର ? ଚାଉଳ ନମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାରେ ନିଜ ଅପାରଗତାକୁ ଘୋଡ଼ାଇବାରେ ବ୍ୟସ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ୩ ମାସ ହେଲା ଚାଉଳ ମିଳି ନଥିବା ନେଇ ସ୍ପଷ୍ଟ ପ୍ରମାଣ ରହିଛି । ଏନେଇ ହିତାଧିକାରୀଙ୍କ ରାସନ କାର୍ଡ ତଥ୍ୟରୁ ଜଣାପଡ଼ିଛି । ଇ-କେୱାଇସି ହୋଇ ନଥିବାରୁ ଚାଉଳ ମିଳି ନଥିବା ନିଜେ ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ହେଲେ ସତକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ନିଜ ବିଭାଗର ଅବ୍ୟବସ୍ଥାକୁ ସ୍ବୀକାର କରିବା ବଦଳରେ ଗରିବ ଆଦିବାସୀଙ୍କୁ ଦୋଷ ଠେଲିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଖରେ ଚାଉଳ ମହଜୁଦ ଥିବାରୁ ସେମାନେ ଚାଉଳ ନେଇନାହାନ୍ତି । ଚାଉଳର କୌଣସି ଅଭାବ ନଥିବାବେଳେ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ଏବେ ବଣ୍ଟାଯାଉଛି । ଅଜବ ଯୁକ୍ତି ରଖି ମନ୍ତ୍ରୀ କହିଛନ୍ତି, ଆମ୍ବ ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ବାସି ଖାଦ୍ୟ ଖାଇବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।