ଆମ୍ବ ଟାକୁଆ ଟ୍ରାଜେଡି: ମୋହନଙ୍କୁ ବିଜୟଙ୍କ ପ୍ରଶ୍ନ, ମାଣ୍ଡିପଙ୍କା ଗାଁକୁ କାହିଁକି ଯାଇନ ?
କନ୍ଧମାଳ: ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଆଜି ବିଜୟ ମହାପାତ୍ର ଏବଂ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ମାଣ୍ଡିପଙ୍କା ଗାଁରେ ପହଁଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି ।
ବିଜୟ କହିଛନ୍ତି, ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଭୁବନେଶ୍ବରରେ ବସି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି । ବାସ୍ତବ ଚିତ୍ର ହେଉଛି ଏହି ଗାଁର ଲୋକେ ଚାଉଳ ପାଇ ନଥିଲେ । ଅଭାବ ଓ ପେଟ ବିକଳରେ ସେମାନେ ଆମ୍ବ ଟାକୁଆ ଜାଉ ଖାଇଥିଲେ । ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ଗତ ୨ ତାରିଖରେ ସରକାର ଲୋକଙ୍କୁ ଚାଉଳ ଦେଇଛନ୍ତି । ଖାଲି ଆରଡିସି ତଦନ୍ତ କରିଦେଲେ ସମସ୍ୟାର ସମାଧାନ ହୋଇଯିବନାହିଁ ।
ଆଦିବାସୀଙ୍କ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ଏଯାଏଁ କାହିଁକି ମାଣ୍ଡିପଙ୍କା ଆସିନାହାନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ଆଗକୁ ସେ କହିଛନ୍ତି, ଏଠାରେ ଖାଦ୍ୟାଭାବ ସହ ପାନୀୟ ଜଳର ସୁବିଧା ନାହିଁ । ଏହି ଗାଁରୁ ଏବେ ସବୁ ପୁରୁଷ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ସରକାର ଦାୟିତ୍ବହୀନ ଓ ହାଲୁକା ମନ୍ତବ୍ୟ ଦେବା ପରିବର୍ତ୍ତେ ଗାଁର ସମସ୍ୟା ସମାଧାନ କରନ୍ତୁ ।
ସେହିଭଳି ସାଲୁଗା ପ୍ରଧାନ ମଧ୍ୟ ସରାକରଙ୍କ ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି ।