ଜରାଜିର୍ଣ୍ଣ ଅବସ୍ଥାରେ ମଙ୍ଗଳପୁର କଲୋନି ପଡ଼ାର ପ୍ରାଥମିକ ବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ: ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦେବାକୁ ସରକାର ଅନୁକୂଳ ପରିବେଶ ସାଙ୍ଗକୁ ଆକର୍ଷୀଣୀୟ ସ୍କୁଲର ବ୍ଯବସ୍ଥା କରୁଛନ୍ତି ।  କିନ୍ତୁ ଏ ସବୁ ବର୍ତ୍ତମାନ କାଗଜପତ୍ରରେ ଶୋଭା ପାଉଥିବା ବେଳେ ବାସ୍ତବିକ ଚିତ୍ର ଅଲଗା । ଯାହା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଲପୁରର ପ୍ରାଥମିକ ବିଦ୍ଯାଳୟ ଦେଖିଲେ ବାରି ହୋଇପଡୁଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ  ଅଧୀନରେ ଥିବା ମଙ୍ଗଳପୁର କଲୋନି ପଡ଼ାର ପ୍ରାଥମିକ ବିଦ୍ୟାଳୟ । ୩ ବର୍ଷ ହେବ ବିଦ୍ଯାଳୟଟି ଭାଙ୍ଗିଯାଇଛି । କାଳେ ସ୍କୁଲଟି ପୁରା ଭୁଷୁଡି ପଡିବ ସେହି ଭୟରେ ପାଖରେ ଥିବା ମିଶନ ଶକ୍ତି ଓ ପିଇଓ କ୍ବାଟରରେ ଚାଲିଛି ପାଠପଢ଼ା । ସ୍କୁଲରେ ସମୁଦାୟ ୫୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଶ୍ରେଣୀ ଗୃହ ନ ଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ପିଲା ଗୋଟିଏ କୋଠରୀରେ ବସି ପାଠ ପଢୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ।

ତିନି ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି । ସ୍କୁଲ ଘର ଭଲଥିବା ସମୟରେ ପ୍ରାୟ ୧୩୫ ଜଣ ପିଲା ପଢୁଥିଲେ । ବର୍ତ୍ତମାନ ସ୍କୁଲର ଏଭଳି ସ୍ଥିତି ଯୋଗୁଁ ଆର୍ଥିକ ଅନଟନ ଥିଲେ ମଧ୍ଯ ଘରୋଇ ସ୍କୁଲରେ ପିଲାଙ୍କୁ ପଢାଇବାକୁ ବାଧ୍ଯ ହେଉଛନ୍ତି ଅଭିଭାବକ । ନୂତନ ସ୍କୁଲ ଘର ପାଇଁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ହେଲେ ଆଜି ଯାଏଁ କିଛି ସୁଫଳ ମିଳି ପାରିନାହିଁ । ସେପଟେ ଖୁବ୍ ଶୀଘ୍ର ସ୍କୁଲ କାମ କରାଯିବ ବୋଲି ଜୟପାଟଣା ବିଡିଓ କହିଛନ୍ତି ।