ଖେତରେ ହସିଲା ମକା ଏବଂ ଆଖୁ ଚାଷ, ହେଲେ ଅଭାବୀ ବିକ୍ରି ଏବେ ଚାଷୀଙ୍କ ଆଖିରେ ଦେଉଛି ଲୁହ

ଧର୍ମଗଡ଼: ଚଳିତ ବର୍ଷ ଭଲ ମକା ଫସଲ ହୋଇଛି । ଭଲ ଦିପଇସା ରୋଜଗାର ମଧ୍ୟ ହେବ । ଏହି ଆଶା ନେଇ ଚାଷୀ ରହିଥିବା ବେଳେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହେଇ ପାରୁନାହିଁ । ଫଳରେ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଖାଲି ମକା ନୁହେଁ ଆଖୁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ବାଡ଼ିରେ ସଢୁଛି ବର୍ଷକର ପରିଶ୍ରମ । ମଣ୍ଡି ନାହିଁ, ଅଭାବି ବିକ୍ରି ଶିକାର ମକା ଚାଷୀ । ସାଗ ମାଛ ଦରରେ ଦଲାଲଙ୍କୁ ଦେଉଛନ୍ତି ଫସଲ । ଚାଷୀ ବେହାଲ, ଦଲାଲ ମାଲାମାଲ । ଧାନ ପରେ ଅର୍ଥକାରୀ ଫସଲ ଭାବେ ମକାର ବେଶ ଚାହିଦା ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଳିଗଡ଼ ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୩୦୦ ହେକ୍ଟର ଜମିରେ ଚାଷ ହୋଇଛି । ତେବେ ମକା ଅମଳକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଫଳରେ କ୍ବିଣ୍ଟାଲ ପିଛା ୧୮ ଟଙ୍କା ବଦଳରେ ୧୨ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସେହିଭଳି ଅର୍ଥକାରୀ ଫସଲ ଆଖୁ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଳାହଣ୍ଡିର ଏକମାତ୍ର ଚିନିକଳ ବନ୍ଦ ହେବା ପରେ ଆଖୁ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ବର୍ଷକର କଷ୍ଟ ଉପାର୍ଜିତ ଆଖୁକୁ ବଦଳ ସାହାର୍ଯ୍ୟ ପେଡି କିଲୋ ପିଛା ମାତ୍ର ୩୦ରୁ ୪୦ ଟଙ୍କାରେ ଛତିଶଗଡ଼ ବେପାରୀଙ୍କୁ ଟେକି ଦେଉଛନ୍ତି ।

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗ ପୋକ, ଚାଷୀଙ୍କ ମୁଣ୍ଡ ବନ୍ଧାର କାରଣ ପାଲଟିଥିବା ବେଳେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇଦେଉଛି । ତେବେ ଏଭଳି ସ୍ଥିତିରେ ପ୍ରଶାସନ ଚାଷୀ ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

Leave a Reply