spot_img

Latest Posts

ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା

ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା । ଚାଷୀଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି । କଟନି ଛଟନି ସହିତ ଶୋଷଣର ଶିକାର ହେଉଛନ୍ତି ଚାଷୀ । କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବାରୁ ବଢ଼ୁଛି ଅସନ୍ତୋଷ । ସେପଟେ ସରକାର କେବଳ ଚାଷୀଙ୍କୁ ବାହାସ୍ଫୋଟ ମାରି ଭୁଆଁ ବୁଲାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।

କେବେ ସରକାର କିଣିବେ ଚାଷୀଙ୍କ ଧାନ ?

ଗଞ୍ଜାମ ଜିଲ୍ଲାରେ ଗତ ଡିସେମ୍ବର ୨୩ରୁ ଖୋଲିଛି ମଣ୍ଡି । ହେଲେ ଏଯାଏଁ ଅଧିକାଂଶ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ବସ୍ତା ଧାନ । କିଏ ଶୀତ କାକରରେ ଖଳା ମୁଣ୍ଡରେ ଧାନକୁ ଜଗି ବସିଛି ତ ପୁଣି ଆଉ କିଏ ଘର, ବାରଣ୍ଡା ଓ ମନ୍ଦିର ପ୍ରାଙ୍ଗଣରେ ଅମଳ ଧାନକୁ ସାଇତି ରଖିଛି ।

ମିଲରଙ୍କ ମନମାନୀ !

ସେପଟେ ମିଲରେ ଚାଲୁଛି ମିଲରଙ୍କ ମନମାନୀ । ପ୍ରତି କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସୂତା ଅଖା ପାଇଁ ମିଲରେ ୭ ଶହ ଗ୍ରାମ କଟିଲା ପରେ ପୁଣି ୬ କିଲୋ ନେଉଥିବାରୁ ବଢୁଛି ଅସନ୍ତୋଷ । ପ୍ରତି ବ୍ଲକରେ ଚାଷୀଙ୍କଠାରୁ ଖୋଲା ଖୋଲି ମିଲର ଶୋଷଣ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଚାଷୀ ଅଭିଯୋଗ କଲେ ସେମାନଙ୍କୁ ସୋସାଇଟି କର୍ମଚାରୀ ନାଲି ଆଖି ଦେଖାଇବା ଓ ଅଖା ନଦେବା ଭଳି ଅଭିଯୋଗ ଧରାକୋଟ ଅଞ୍ଚଳରୁ ଆସିଛି । ଘଟଣାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଜେନା ହସ୍ତକ୍ଷେପ କରିବା ପରେ ଚାଷୀଙ୍କୁ ଅଖା ମିଳିଛି । କଟନୀ ଛଟନୀ ନେଇ କୌଣସି ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Latest Posts

Don't Miss