ବିଦେଶରୁ ଫେରିଲେ ୧୪ ଦିନ ସଙ୍ଗରୋଧ

1 min read
Mandatory 14 Days Quarantine To Foreign Returnees

ଭୁବନେଶ୍ବର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବର୍ତ୍ତମାନ ସୁଦ୍ଧା ୨୬ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ପ୍ରଭାବିତ ଦେଶରୁ ଆସୁଛନ୍ତି ସେମାନେ ନେଗେଟିଭ ରିପୋର୍ଟ ଧରିକି ଆସିବେ । ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ପଜିଟିଭ ଆସିଲେ ତାଙ୍କୁ ତୁରନ୍ତ ଆଇସୋଲେସନକୁ ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ ଆହୁରି କହିଛନ୍ତି, ‘ରିପୋର୍ଟ ନେଗେଟିଭ ଆସିଲେ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ପୁଣି ଟେଷ୍ଟ କରାଯିବ।’

ବିଦେଶ ଫେରନ୍ତା ବିମାନବନ୍ଦରରେ ଟେଷ୍ଟ କରି ଆସୁଥିବାରୁ ସେମାନଙ୍କୁ ଟ୍ରେସ୍ କରି ଅଷ୍ଟମ ଦିନ ତାଙ୍କର ଆରଟି-ପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି । ଅଷ୍ଟମ ଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିଲେ ତାଙ୍କୁ ଆଇସୋଲେସନକୁ ପଠାଯିବ, ନଚେତ ଆଉ ୭ ଦିନ ତାଙ୍କୁ ସେଲଫ ଅବଜରଭେସନରେ ରଖାଯିବ । ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ, ତାଙ୍କର ଜିନୋମ ସିକୁଏନ୍ସିଂ କରାଯିବ ।

ମିଳିଥିବା ଦୁଇ ଦିନର ତଥ୍ୟ ଅନୁଯାୟୀ ପ୍ରଭାବିତ ଦେଶରୁ ସର୍ବମୋଟ ୩୮୦ ଜଣ ଓଡ଼ିଶା ଆସିଛନ୍ତି । ୨୮ ତାରିଖରେ ୨୨୪ ଜଣ ଓ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି । ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସବୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର କର୍ତ୍ତୃପକ୍ଷ ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ସତର୍କ କରିବା ସହ ଆବଶ୍ୟକ ସ୍ଥଳେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଓମିକ୍ରନ୍ ଆତଙ୍କ: ଏକ ସପ୍ତାହ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

Leave a Reply