ହରିଦ୍ବାର ମନସା ଦେବୀ ମନ୍ଦିରରେ କାହିଁକି ହେଲା ଦଳଚକଟା, ସାମ୍ନାକୁ ଆସିଲା ସତ..

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ହରିଦ୍ବାର ମନସା ଦେବୀଙ୍କ ମନ୍ଦିରରେ ଦଳଚକଟା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଏବଂ ୩୫ ଜଣ ଆହତ ହେବା ଘଟଣା ଏବେ ଖବରର ଶିରୋନାମା ପାଲଟିଛି । ତେବେ ଏଠାରେ କାହିଁକି ଏଭଳି ପରିସ୍ଥିତି ହେଲା ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚାମାନ ଶୁଣିବାକୁ ମିଳୁଛି । ଦଳାଚକଟା ପଛରେ କଣ ରହିଛି ପ୍ରମୁଖ କାରଣ । ବିଭିନ୍ନ ଗୁଜବମାନ ଶୁଣାଯାଉଥିବାବେଳେ ସାମ୍ନାକୁ ଆସିଛି ସତ । ତେବେ କହି ରଖୁଛୁ କି, ଏହି ମନ୍ଦିରକୁ ଯିବା ପାଇଁ ତିନୋଟି ରାସ୍ତା ରହିଛି । ଗୋଟିଏ ସିଡି, ଅନ୍ୟପଟେ ରୋପଓ୍ବେ ଏବଂ ଚଲାପଥ । ଏବେ ଏହି ତିନୋଟି ଯାକ ପଥକୁ ବନ୍ଦ କରାଯାଇଛି । ଦର୍ଶନ ମଧ୍ୟ ବନ୍ଦ ରହିଛି ।
ପ୍ରଥମେ ଏକ ଗୁଜବ ପ୍ରଚାର ହୋଇଥିଲା କି, କରେଣ୍ଟ ଲାଗିଯିବା କାରଣରୁ ଯାତ୍ରୀମାନେ ଦୌଡ଼ିଥିଲେ ଏବଂ ଏଭଳି ଅଘଟଣ ଘଟିଥିଲା । ଏବେ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ତଥା ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ରବିନ୍ଦ୍ର ପୁରୀ ମହାରାଜ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି କି, ସିଡ଼ିରେ ଅଧିକ ଭକ୍ତ ଯାତାୟତ କରୁଥିଲେ । ଯିବା ଆସିବା ବାଟରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ଜଣେ ଭକ୍ତ ପଡ଼ିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।