ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣ ଲାଗି ସଂସଦର ଶୀତ ଓ ବଜେଟ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ଏ ନେଇ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜ୍ୟସଭାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦିଲ୍ଲୀର ପ୍ରଦୂଷଣ ସାଂଘାତିକ ସ୍ବାସ୍ଥ୍ଯ ସମସ୍ୟା ସୃଷ୍ଟି କରୁଛି । ଶୀତ ଦିନେ ବାୟୁର ମାନ ୪ଶହରୁ ୫ଶହ ଏକ୍ଯୁଆଇ ଉପରେ ହୋଇଯାଉଛି । ଯାହାକି ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପାଇଁ ଜୀବନ ମରଣ ସମସ୍ୟା ପାଲଟୁଛି । ସପ୍ତାହ ସପ୍ତାହ ଧରି ଏପରି ଅବସ୍ଥାରେ ବଞ୍ଚିବା ଲାଗି ଦିଲ୍ଲୀ ସଂଘର୍ଷ କରୁଛି । ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟରୁ ଆସିଥିବାରୁ ଦିଲ୍ଲୀ ପ୍ରଦୂଷଣର ଅବସ୍ଥାକୁ ବୁଝିପାରୁଛି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ପ୍ରତିବର୍ଷ ଏପରି ସ୍ଥିତି ସୃଷ୍ଟି ହେଉଥିବାରୁ ଏବଂ ସେହି ସମୟରେ ସଂସଦର ଅଧିବେଶନ ଚାଲୁଥିବାରୁ ଆମ ଭଳିଆ ଅନ୍ୟ ସାଂସଦ, ଅଫିସର, ଡ୍ରାଇଭର, ପରିମଳ କର୍ମଚାରୀଙ୍କୁ ପ୍ରଦୂଷଣ ସହ ଜୁଝିବାକୁ ପଡୁଛି । ଏହା ଏକ ସ୍ବାଭାବିକ ସ୍ଥିତି ବୋଲି ଆମେ କେବେ କହିପାରିବାନି । ତେଣୁ ସଂସଦର ଶୀତ ଅଧିବେଶନ ଓ ବଜେଟ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଯେପର୍ଯ୍ୟନ୍ତ ଦିଲ୍ଲୀ ନିରାପଦ ସାବ୍ୟସ୍ତ ନହୋଇଛି ସେ ଯାଏଁ ଏହି ଦୁଇ ଅଧିବେଶନକୁ ଅନ୍ୟ ସହରକୁ ସ୍ଥାନାନ୍ତର ଲାଗି ସେ ଗୁହାରୀ କରିଛନ୍ତି । ଭୁବନେଶ୍ବରରୁ ହାଇଦ୍ରାବାଦ, ଗାନ୍ଧୀନଗରରୁ ବେଙ୍ଗାଲୁରୁ, ଗୋଆରୁ ଡେରାଡୁନ । ଆମ ଦେଶରେ ସଂସଦର ଅଧିବେଶନ କରିବା ଲାଗି ଏଭଳି ଅନେକ ଉପଯୁକ୍ତ ସହରମାନ ରହିଛନ୍ତି । ଯଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶା ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରୁଛି ତେବେ ସଂସଦର ଏହି ଦୁଇଟି ଅଧିବେଶନକୁ ଆମେ ଅନ୍ଯତ୍ର ସ୍ଥାନାନ୍ତର କରିପାରିବା ବୋଲି ସେ ଯୁକ୍ତି ବାଢିଛନ୍ତି । ଯାହାଦ୍ବାରା ଆମେ ଆମ ସାଂସଦଙ୍କ ସହ ଅନ୍ୟ ଅଫିସର ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ରଖିପାରିବା ବୋଲି ସେ କହିଛନ୍ତି । ଏଥିରେ କୌଣିସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଏହା ଜୀବନ ମରଣ ସମସ୍ୟା । ସଂସଦ ନେତୃତ୍ବ ନେବା ଦରକାର । ସୁବିଧା ହେଲା ପର୍ଯ୍ୟନ୍ତ ସଂସଦ ନିଃଶ୍ବାସ ନେବାର ଅଧିକାରକୁ ସାବ୍ୟସ୍ତ କରିବା ଦରକାର । ତେଣୁ ବିଳମ୍ବ ନକରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

