କୁଆଡ଼େ ଗଲେ ମାନସ ମର୍ଡର ପ୍ଲଟର ଖଳନାୟିକା, ମାମଲାକୁ ନେଇ ପଦାକୁ ଆସୁଛି ରୋଚକ ତଥ୍ୟ

ଭୁବନେଶ୍ୱର: କୁଆଡେ ଗଲେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମର୍ଡର ପ୍ଲଟର ଖଳନାୟିକା । କେଉଁଠି ଲୁଚିଛନ୍ତି ଶର୍ମିଷ୍ଠା ରାଉତ । କାହିଁକି ପୋଲିସ ଶର୍ମିଷ୍ଠାଙ୍କ ପତ୍ତା ପାଇପାରୁନି ବୋଲି ଏବେ ସବୁଠି ଉଠିଲାଣି ପ୍ରଶ୍ନ । ସେପଟେ ପ୍ରତିଦିନ ମାମଲାକୁ ନେଇ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ । ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ଶେଷ ଚିଠି । କେମିତି ନିର୍ଯାତନା ଦେଉଥିଲେ, କେମିତି ବନ୍ଦୀ ଜୀବନ କାଟୁଥିଲେ ମାନସ । ମୃତ୍ୟୁପରେ ପରିବାର ଲୋକଙ୍କୁ ମୃତଦେହ ଦେବାକୁ ନିବେଦନ ବି କରିଥିଲେ ମାନସ । ଏନେଇ ଖୁଲାସା କରିଛନ୍ତି ମାନସଙ୍କ ଶେଷ ଚିଠି ପାଇଥିବା ଦୟାଲ ଆଶ୍ରମର କେୟାର ଟେକର ।

ସେପଟେ ମାନସ ଅପହରଣ ବେଳର ଲୋମଟାଙ୍କୁରା ଘଟଣା କହିଛନ୍ତି ତାଙ୍କ ସହଯୋଗୀ । ମୋ ଆଖି ଆଗରେ ମୋ ଉପସ୍ଥିତିରେ ମାନସ ସ୍ୱାଇଁଙ୍କ ଅପହରଣ ହୋଇଛି ବୋଲି କହିଛନ୍ତି ତାଙ୍କ ସହଯୋଗ । ମାନସଙ୍କ ସହ ବାହାଘର ସୁଟିଂରେ ଚାନ୍ଦବାଲି ଯାଇଥିଲେ ଏହି ଯୁବକ ଜଣକ । ଏହି ସମୟରେ ଶର୍ମିଷ୍ଠାଙ୍କ ଫୋନ୍ ଆସିଥିଲା । କେଉଁଠି ଅଛ ବୋଲି ପଚାରିଥିଲେ ଶର୍ମିଷ୍ଠା । ଚାନ୍ଦବାଲିର ଠିକଣା ଦେବାପରେ ଶର୍ମିଷ୍ଠାଙ୍କ ସହ ଜଣେ ମହିଳା ଓ ୩ ଜଣ ଯୁବକ ପହଞ୍ଚିଥିଲେ । ମେମୋରି ଚିପ୍ କଥା ପଚାରି ମାଡ଼ ମାରିଥିଲେ । ଏହାପରେ ବଳପୂର୍ବକ ମାନସଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲେ । ଶର୍ମିଷ୍ଠା ଏକ ସର୍ଟ ଭିଡିଓ ପ୍ରସ୍ତୁତ କରୁଥିଲେ । ସେଥିରେ ନିରଞ୍ଜନ ସେଠୀ ହିରୋ ଭୂମିକାରେ ଅଭିନୟ କରୁଥିଲେ । ନିରଞ୍ଜନଙ୍କ ସହ ଦୁଇ ଯୁବତୀ ଏକ ଗାଧୁଆ ସିନର ସୁଟିଂ କରୁଥିଲେ । ପୁରୀ ଯିବା ବେଳେ ଶର୍ମିଷ୍ଠା, ନିରଞ୍ଜନ ଓ ସଂପୃକ୍ତ ଯୁବତୀ ଏକ କାରରେ ଯାଇଥିଲେ ବୋଲି ମାନସଙ୍କ ସହଯୋଗୀ କହିଛନ୍ତି ।