ମାନସ ସ୍ୱାଇଁ ହତ୍ୟା ମାମଲା, ସାମ୍ନାକୁ ଆସିଲା ପୁରୀ ସମୂଦ୍ରକୂଳରେ ସୁଟିଂର ସତ

ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟା ମାମଲା । ସାମ୍ନାକୁ ଆସିଲା ପୁରୀ ସମୂଦ୍ରକୂଳରେ ସୁଟିଂର ସତ । ପୁରୀରେ ସର୍ଟ ଫିଲ୍ମ ନୁହେଁ ବରଂ ଭଜନ ସୁଟିଂ ହୋଇଥିଲା । ଏହି ଭଜନରେ ନିରଞ୍ଜନ ସେଠୀ ବାପା ଭୂମିକାରେ ଅଭିନୟ କରିଥିଲା । ଭଜନରେ ସମୁଦ୍ର ଭିତରୁ ଛୁଆକୁ ଉଦ୍ଧାର କରିବାର ସିନ୍ ଥିଲା । ତା’ପରେ ଆଉ ଗୋଟେ ସିନରେ ଡାଇରେକ୍ଟର ଟେକ୍ ଦେବା ପରେ ନିରଞ୍ଜନ ହାତ ଟେକି ଅଭିନୟ କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଭିଡ଼ିଓରେ ନିରଞ୍ଜନଙ୍କ ପତ୍ନୀ ଭୂମିକାରେ ଜଣେ ମହିଳା ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକ କଳାକାର ଓ ଶର୍ମିଷ୍ଠାଙ୍କ ଭାଉଜ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ଏ ଭଜନ ପାଇଁ ଗତ ଜାନୁଆରୀ ମାସରେ ସୁଟିଂ ହୋଇଥିଲା । ତେବେ ଭଜନ ସୁଟିଂ ପରେ ପୁରୀରେ ସିକ୍ରେଟ ସୁଟିଂ ହୋଇଥିଲା କି? ଏ ସମ୍ପର୍କରେ ରିମାଣ୍ଡରେ ଜେରା ବେଳେ ପଦାକୁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

ସେପଟେ ସାମ୍ନାକୁ ଆସିଛି ଶର୍ମିଷ୍ଠାର ଏକ ସିକ୍ରେଟ୍‌ ଭିଡିଓ । ମାନସ ଅନେକ ଦିନ ଧରି ଘରକୁ ନ ଫେରିବା ପରେ ବ୍ୟସ୍ତ ହୋଇ ପଡ଼ିଥିଲେ ତାଙ୍କ ପରିବାର ଲୋକ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ମିଳିନଥିଲା ମାନସଙ୍କ ପତ୍ତା । ଏହାପରେ ମାନସଙ୍କ ସହଯୋଗୀ ଓ ମାନସଙ୍କ ମାଆ ଶର୍ମିଷ୍ଠା ପାଖକୁ ଆସିଥିଲେ । ମାନସଙ୍କ ସଂପର୍କରେ ପଚାରିବାରୁ ସିଧା ସିଧା ଫାଙ୍କି ଦେଇଥିଲା ଶର୍ମିଷ୍ଠା । ମାନସଙ୍କୁ ଚାନ୍ଦବାଲିରୁ କିଡନାପ୍‌ କରି ଆଣିବା ପରେ ଭୁବନେଶ୍ୱରରେ ନିର୍ଯାତନା ଦେଇଥିଲେ ଅଭିଯୁକ୍ତ । ଦୟାଲ ଆଶ୍ରମରେ ମାନସଙ୍କୁ ପିଟି ପିଟି ମାରି ଦେଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରଣପୁର ନିକଟରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ । ହତ୍ୟା କରିବା ପରେ ବି ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲା ଶର୍ମିଷ୍ଠା । ଚୋର ମୁହଁ ଟାଣ ଭଳି, ମେମୋରୀ ଚିପ୍‌ ନେଇ ଅଣ୍ଡରଟେକିଂ ଲେଖେଇ ମାନସଙ୍କୁ ଛାଡ଼ି ଦେଇଥିବା ମିଛ କହିଥିଲା । ଏପରିକି ପୋଲିସକୁ ସହଯୋଗ ଛଡ଼ା ଆଉ କିଛି ଉପାୟ ନଥିବା କହିଥିଲା ।