ମାନସ ସ୍ୱାଇଁ ହତ୍ୟା ମାମଲା: ସତ ଉଗାରିଲା ରଞ୍ଜନ, ଶର୍ମିଷ୍ଠା କାରରେ ହୋଇଥିଲା କିଡନାପିଂ

1 min read

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଆଗରେ ସତ ଉଗାରିଲା ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ । ଚାନ୍ଦବାଲି ପଳାସପୁରରୁ ମାନସଙ୍କୁ ଅପହରଣ କରିଥିବା କ୍ରାଇମବ୍ରାଞ୍ଚ ଆଗରେ ମାନିଛି ରଞ୍ଜନ । ଶର୍ମିଷ୍ଠା ରାଉତ କାରରେ କିଡନାପିଂ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଆଣାଯାଇଥିଲା । ଏଥିରେ ଶର୍ମିଷ୍ଠା, ରଞ୍ଜନ ସହ ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ସାମିଲ ଥିଲେ । ଦୟାଲ ଆଶ୍ରମରେ ମାନସ ନୃଶଂସ ଭାବେ ଶାରିରୀକ ନିର୍ଯାତନା ଦିଆଯାଇଥିଲା । ଆଶ୍ରମରେ ନିରଂଜନ ସେଠୀ ମଧ୍ୟ ମାନସଙ୍କୁ ମାଡ଼ ମାରିଥିଲେ ।

ମାନସଙ୍କ ମୃତ୍ୟୁ ପରେ ଶର୍ମିଷ୍ଠାର କାରରେ ମୃତଦେହକୁ ଅଣାଯାଇ ରଣପୁରରେ ପୋତାଯାଇଥିଲା । ମୃତଦେହ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲଠାରୁ ୨ କିଲୋମିଟର ଦୂର ଦଇତାରୀ-ପାରାଦୀପ ହାଇଓ୍ୱେକୁ ଯାଇଥିଲେ । ସେଠାରେ ମାନସଙ୍କ ମୋବାଇଲ, ଇୟର ଫୋନ୍, ମୃତଦେହ ନିଆଯାଇଥିବା ଅଖା, ଶାଢ଼ୀ ଓ ଚପଲ ପୋଡ଼ି ଦେଇଥିଲେ । ଏଥିସହ ମାଟି ଖୋଳିବାରେ ଲାଗିଥିବା ଗଇଁତି ଓ କୋଦାଳକୁ ନିକଟସ୍ଥ ବୁଦାକୁ ଫୋପାଡି ଦେଇଥିଲେ ।

ରଞ୍ଜନ ନାୟକର ସୂଚନା ଆଧାରରେ ଚଣ୍ଡିଖୋଲର ସେହି ସ୍ଥାନକୁ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ସେଠାରୁ ଗୋଟିଏ ଅଧାପୋଡ଼ା ଇୟର ଫୋନ୍, ଚପଲ, ଶାଢ଼ୀ, ଅଖା ବସ୍ତା, ଗଇଁତି ଓ କୋଦାଳକୁ ଜବତ କରାଯାଇଛି । ଜବତ ସମସ୍ତ ସାମଗ୍ରୀ ଚିହ୍ନଟ କରିଛି ଅଭିଯୁକ୍ତ ରଞ୍ଜନ ନାୟକ । ମାନସ ମର୍ଡର ମାମଲାରେ ୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ରିମାଣ୍ଡ ବେଳେ ୪ ଅଭିଯୁକ୍ତଙ୍କୁ ଝାଳବୁହା ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ ।