ସତ ଓଗାଳିଲା ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା: କହିଲେ, ହତ୍ୟାକାଣ୍ଡ ପରର ପୂରା କାହାଣୀ

1 min read

ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟାକାଣ୍ଡ ପରେ କେମିତି ଚମ୍ପଟ ମାରିଥିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ତା’ ସହଯୋଗୀ ଝୁନା ଭୋଇ । କେଉଁଠି ଲୁଚିରହିଥିଲେ ୨ ଅଭିଯୁକ୍ତ । କେମିତି ଏତେ ଦିନ ପର୍ଯ୍ୟନ୍ତ ପୋଲିସକୁ ଭୂଆଁ ବୁଲାଇବାରେ ସକ୍ଷମ ହୋଇଥିଲା ଶର୍ମିଷ୍ଠା ଓ ସହଯୋଗୀ । ଏ ସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଛି ପୋଲିସ ।

ଜେରା ବେଳେ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଈ ଗିରଫଦାରୀକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ଛାଡ଼ି ପଳାଇଥିଲେ । ଏବଂ ନିଜ ସ୍ଥାନ ବଦଳାଉଥିଲେ । ତେବେ ପୋଲିସକୁ ଚଖମା ଦେବାକୁ ଶର୍ମିଷ୍ଠା ନିଜ ମୋବାଇଲ ଫୋନ୍‌କୁ ଫ୍ଳାଟ୍‌ରେ ଛାଡ଼ିପଳାଇଥିଲା । ଏବଂ ଅଗରପଡ଼ାରେ ନୂଆ ସିମ୍‌ କାର୍ଡ କିଣିବା ସହିତ କୋଲକାତାରେ ମଧ୍ୟ ନୂଆ ସିମ୍‌ କାର୍ଡ କିଣିଥିଲା ।

ଗତ ୭ ତାରିଖରେ ଶର୍ମିଷ୍ଠା ତା’ ସହଯୋଗୀ ସହ କାଳିଆପାଣି ସ୍ଥିତି ପୁଲିପସି ଗାଁରେ ଥିବା ଶଶୂ ଘରେ ଯାଇ ପହଞ୍ଚିଥିଲେ । ସ୍ୱାମୀଙ୍କ ସହ ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟରେ ଏକ ପୂଜା କରିବାକୁ ଆସିଥିବା କହି ଶାଶୁ ସହ ୩ ଦିନ ରହିଥିଲା ଶର୍ମିଷ୍ଠା । ସାଥିରେ ଥିଲା ଝୁନା । ମାର୍ଚ୍ଚ ୧୦ ତାରିଖ ଭୋର ସାଢେ ୫ଟାରେ ଶାଶୁଙ୍କୁ ସାଙ୍ଗରେ ନେଇ ପୁଲିପୁସି ଗାଁରୁ ଭଦ୍ରକ ଜିଲ୍ଲାର ଆଗରପଡା ଅଭିମୁଖେ ବାହାରି ଥିଲା ଶର୍ମିଷ୍ଠା । ଏହା ପରେ ଭଦ୍ରକ ଜିଲ୍ଲାର ପୁରୁଷଣ୍ଢ ଗାଁରେ ପହଞ୍ଚିଥିଲା ଶର୍ମିଷ୍ଠା । ସେଠାରେ ନିଜ ନଣନ୍ଦଙ୍କ ଘରେ ଶାଶୁ ଓଝୁନାଙ୍କ ସହ ୩ ଦିନ ରହିଥିଲା ।

ମାର୍ଚ୍ଚ ୧୩ ତାରିଖରେ ମଧ୍ୟାହ୍ନ ୨ଟା ୩୦ରେ ଶର୍ମିଷ୍ଠା ଓ ଝୁନା ଏକ ଅଟୋ ଯୋଗେ କୁପାରି ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରୁ ବସ ଯୋଗେ ବାଲେଶ୍ୱରରେ ପହଞ୍ଚିଥିଲେ । ପୋଲିସ ଗିରଫଦାରୀ ଏଡ଼ାଇବା ଲାଗି ଶର୍ମିଷ୍ଠା ଓ ଝୁନା ବାଲେଶ୍ୱରରୁ ଟ୍ରେନ ଯୋଗେ କୋଲକାତା ଯାଇଥିଲେ । ହାୱାଡା ଷ୍ଟେସନରେ ପହଞ୍ଚିବା ପରେ ଶର୍ମିଷ୍ଠା ଓ ଝୁନା ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କଲ୍ୟାଣୀକୁ ଚାଲି ଯାଇଥିଲେ । ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବା ପରେ ଚାଲି ଆସିଥିଲେ ମାୟାପୁରୀ । ମାୟାପୁରୀରେ ଅସୀମା ଦାଶ ନାମ୍ନୀ ଜଣେ ମହିଳାଙ୍କ ଘରେ କିଛି ଦିନ ରହିଥିଲେ । ଗୋଟିଏ ଜାଗାରେ ରହିଲେ ପୋଲିସ କାଳେ ଜାଣି ଦେବ, ସେଥିପାଇଁ ଶର୍ମିଷ୍ଠା ତାର ସ୍ଥାନ ପରିବର୍ତ୍ତନ କରି ଜଲପାଇ ଗୁଡି ଚାଲି ଯାଇଥିଲେ । ସେଠାରେ ମଧ୍ୟ ଝୁନା ସହ କିଛି ଦିନ ରହିବା ପରେ ପୁଣି କୋଲକାତା ଫେରିଥିଲା । କୋଲକାତା ପେରିବା ବେଳେ ଶର୍ମିଷ୍ଠାଙ୍କ ପାଖରେ ଟଙ୍କା ସରି ଯାଇଥିଲା । ସେଠାରେ ରହିବା ପାଇଁ କିଛି ଆଶ୍ରୟ ନଥିଲା । ଫଳରେ ବାଧ୍ୟ ହୋଇ ବସ ଯୋଗେ ଓଡିଶା ଫେରୁଥିଲା । ହେଲେ ଭଦ୍ରକ ନଳଙ୍ଗା ଠାରେ ଶର୍ମିଷ୍ଠା ଓ ଝୁନାକୁ ଗିରଫ କରିଥିଲା ଭଦ୍ରକ ଓ କ୍ରାଇମବ୍ରାଞ୍ଚ । ଗତ କାଲି ମଧ୍ୟାହ୍ନରୁ ଭୋର ୪ଟା ଯାଏଁ କ୍ରାଇବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନର ଜେରା ଚାଲିଥିବା ବେଳେ ଶର୍ମିଷ୍ଠା କେମିତି ଫେରାର ହେଲା ଓ କେଉଁ କୋଉଁଠି ରହିଲା ତାର ସମ୍ପୂର୍ଣ୍ଣ ବିବରଣୀ ରଖିଥିଲା କ୍ରାଇମବ୍ରାଞ୍ଚ ଆଗରେ ।

ଶର୍ମିଷ୍ଠା ଧରା ପଡିବା ପରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କ ସହ ସମୁଦାୟ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ୨୯ ତାରିଖରୁ ପଚରା ଉଚରା ଆରମ୍ଭ କରିଛି । ଶର୍ମିଷ୍ଠା ମାଲିକାନାରେ ଥିବା ସମ୍ପୂର୍ଣ୍ଣ ଡିଜିଟାଲରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କୁ ଏକ ମେମୋରୀ ଚିପ ପାଇଁ ଶର୍ମିଷ୍ଠା ଓ ତାର ସହଯୋଗୀ ମାନେ ହତ୍ୟାକରି ପୋତି ଦେଇଥିବା ଅଭିଯୋଗରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏବେ ସମସ୍ତଙ୍କ ନଜରରେ ରହିଛି ସେ ମେମୋରୀ ଚିପ କଣ ରହିଛି । ଯେଉଁଥି ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ।

https://www.youtube.com/watch?v=y6B0OJ8GNpo