ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ସରୁଛି ଶର୍ମିଷ୍ଠା ଓ ଝୁନାଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡର ଆଜି ଶେଷ ଦିନ । ଦ୍ୱିତୀୟ ପର୍ଯ୍ୟାୟରେ ଶର୍ମିଷ୍ଠା ଓ ଝୁନାଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି ତଦନ୍ତକାରୀ ଟିମ୍ । ଗତକାଲି ଝୁନା ବଖାଣିଥିଲା କେଉଁଦିନ ହୋଇଥିଲା ମାଷ୍ଟରପ୍ଲାନ୍ କେଉଁଥିରେ ହୋଇଥିଲା ହତ୍ୟା । ଫେବ୍ରୁଆରୀ ୫ରେ ମାନସ ମେମୋରି କାର୍ଡ ନଦେବାରୁ ମାନସଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ହୋଇଥିଲା ମାଷ୍ଟରପ୍ଲାନ୍ । କାଠ ଫାଳିଆରେ ପିଟିପିଟି ମାରିଥିଲେ ଅଭିଯୁକ୍ତ । ପୂର୍ବରୁ ଜବତ ରକ୍ତଲଗା ୩ଟି କାଠଫାଳିଆ ଓ ଠେଙ୍ଗା ଚିହ୍ନଟ କରିଛି ଝୁନା ଭୋଇ ।

ଏହା ସହ ପୂରା ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ବିବରଣୀ ଦେଇଛି ଝୁନା । ଜବତ କାଠଫାଳିଆ କଟକ ଏଫଏମଟିରେ ଦାଖଲ ହୋଇଛି । କାଠଫାଳିଆ ଓ ଠେଙ୍ଗାରେ ବାରମ୍ବାର ଆଘାତ ଦେଇଥିବାରୁ ମାନସଙ୍କ ମୃତ୍ୟୁ ସମ୍ଭାବନା ଥିବା ଏଫଏମଟି ପ୍ରଫେସର କହିଛନ୍ତି । ମାନସଙ୍କ ଦେହରେ ଗଭୀର ଆଘାତ ଓ ପଞ୍ଜରା ହାଡ଼ ଭାଙ୍ଗି ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଥିଲା ।

ତେବେ ମେମୋରି ଚିପ୍ ଗଲା କୁଆଡେ ? ମେମୋରୀ ଚିପ୍ ନେଇ ଶର୍ମିଷ୍ଠାଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଚିପ୍ ଶେଷ ପର୍ଯ୍ୟନ୍ତ କାହା ପାଖରେ ଥିଲା ? ମାନସକୁ ହତ୍ୟା କରାଯିବା ସମୟରେ ତାଠାରୁ ଶର୍ମୀଷ୍ଠା ଓ ତାଙ୍କ ସହଯୋଗୀମାନେ ସେହି ଚିପକୁ ହାତେଇଥିଲେ କି ନାହିଁ ? ଚିପରେ ଏମିତି କ’ଣ ଥିଲା ଯେ ମାନସଙ୍କୁ ହତ୍ୟା କରାଗଲା? ସେହି ଚିପ ଏବେ କେଉଁଠି ? ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ସହଯୋଗୀ ଝୁନାର ଭୂମିକା ଉପରେ ମଧ୍ୟ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ତେବେ ଏଯାଏ କ୍ରାଇମବ୍ରାଞ୍ଚ ହାତରେ ଚିପ୍ ଲାଗିପାରିନି । ମାନସ ଘରେ କ୍ରାଇମବ୍ରାଞ୍ଚ ଛାନବିନ୍ କରିଥିଲେ ମଧ୍ୟ ଚିପ୍ ପାଇପାରିନି । ଆଜି ରିମାଣ୍ଡର ଶେଷ ଦିନରେ ହତ୍ୟାର ପ୍ରକୃତ କାରଣ ଖୋଜିବାକୁ ଉଭୟଙ୍କୁ ଝାଳବୁହା ଜେରା କରିବ କ୍ରାଇମବ୍ରାଞ୍ଚ ।