କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟ୍ କଲେ ସାଂସଦ ମାନସ ମଙ୍ଗରାଜ, କହିଲେ ଭାଇ, ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି
1 min readଭୁବନେଶ୍ବର: ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଟୁଇଟ୍ କରି ପରାମର୍ଶ ଦେଲେ ସାଂସଦ ମାନସ ମଙ୍ଗରାଜ। ସୋସିଆଲ୍ ମିଡିଆ ଇନଫ୍ଲୁଏନସର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଗଲା ଦୁଇଦିନ ହେଲା ରାଜ୍ୟ ବିଜେପି ନେତା ଅଯଥା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମିଛ ପ୍ରଚାର ଜରିଆରେ ଓଡ଼ିଶାକୁ ବଦମାନ କରିବାକୁ ଚକ୍ରାନ୍ତ ଚଳାଇ ଆସିଛନ୍ତି। ତେବେ ଏନେଇ ଆଜି ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଯାହାକୁ ନେଇ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଡେରିରେ ହେଉ ପଛେ ଆପଣ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ।
ହେଲେ, ବିଜେପିର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖୁଛନ୍ତି । କାମିଆ ଜାନିଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ। ହେଲେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ କାହିଁକି ଅସୁବିଧା ହେଉଛି । କେବଳ ସେତିକି ନୁହେଁ କାହିଁକି ବିଜେପି ନେତା ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି।