ମାଛ ଚାଷକୁ ନେଇ ମାନସ ମଙ୍ଗରାଜଙ୍କ ପ୍ରଶ୍ନ : ଉତ୍ତର ରଖିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍
1 min read
ନନ୍ଦିଘୋଷ ବ୍ୟୁରୋ: ନ୍ୟାସନାଲ ଫିସରିଜ୍ ଡଭଲପମେଣ୍ଟ ବୋର୍ଡ ୱେଲଫେୟାର ସ୍କିମରେ ଓଡ଼ିଶାରୁ ୧୧ ଲକ୍ଷ ୩୧ ହଜାର ୮୫୭ ଜଣ ମତ୍ସ୍ୟଜୀବୀ ପଂଜୀକୃତ ହୋଇଥିବା ରାଜ୍ୟ ସରକାର ଜଣାଇଛନ୍ତି। ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟସଭାର ବିଜେଡି ସାଂସଦ ମାନସ ମଙ୍ଗରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ, ପ୍ରାଣୀ ସଂପଦ ଓ ଡାଏରି ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ସାଂସଦ ମାନସ ମଙ୍ଗରାଜ ପଚାରିଥିଲେ, ଓଡ଼ିଶାରେ କେତେ ମତ୍ସ୍ୟଜୀବୀ ପଂଜୀକୃତ ହୋଇଛନ୍ତି। ବୀମା ଓ ଆର୍ଥିକ ସହାୟତା ସମେତ ଓଡି଼ଶାର ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ କେଉଁ ସବୁ ଯୋଜନା କରାଯାଇଛି। ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି।
ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଜୀବୀକା ପାଇଁ କଣ ସବୁ ଯୋଜନା କରାଯାଇଛି ବୋଲି ପଚାରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କହିଛନ୍ତି, ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ କଲ୍ୟାଣ ପାଇଁ କରାଯାାଇଛି ଡଭଲପମେଣ୍ଟ ଅଫ୍ ଇଣ୍ଟିଗ୍ରେଟେଡ୍ ମଡର୍ନ କୋଷ୍ଟାଲ ଫିସିଂ ଭିଲେଜ। ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କାର ବୀମା ଦିଆଯାଉଛି। ସ୍ଥାୟୀ ଭାବେ ସଂପୂର୍ଣ୍ଣ ଭିନ୍ନକ୍ଷମ ହେଲେ ବି ଏହି ବୀମା ରାଶି ମିଳିବ। ଆଂଶିକ ଭାବେ ସ୍ଥାୟୀ ଭିନ୍ନକ୍ଷମ ହେଲେ ଅଢ଼େଇ ଲକ୍ଷ ଟଙ୍କାର ବୀମା ମିଳିବ। ସେହିପରି ଫିସିଂ ବ୍ୟାନ ସମୟରେ ୧୮ରୁ ୬୦ ବର୍ଷର ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି।
ଓଡ଼ିଶାରେ ୧୧ ଲକ୍ଷ ୩୧ ହଜାର ୮୫୭ ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଛି। ୮ଟି କୋଷ୍ଟାଲ ମତ୍ସ୍ୟଜୀବୀ ଗ୍ରାମ ପାଇଁ ୧୬ କୋଟି ଟଙ୍କା ମଂଜୁର କରାଯାଇଛି। ମାଛ ମାରିବା କଟକଣା ସମୟରେ ସେହିପରି ୧୨ ହଜାର ହିତାଧିକାରୀଙ୍କୁ ବାର୍ଷିକ ୫ କୋଟି ୪୦ ଲକ୍ଷ ଟଙ୍କା ସହାୟତା ପ୍ରଦାନର ବ୍ୟବସ୍ଥା ଅଛି। ମହାନଦୀ ଅବବାହିକାରେ ମାଛ ଯେମିତି ଅଧିକ ମିଳିବେ, ସେଥିପାଇଁ ସାଢ଼େ ୯ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। NFDB ୩ଟି ମାଛ ଚାଷୀ ଉତ୍ପାଦକ ସଂଘ ପ୍ରତିଷ୍ଠା କରିଛି ବୋଲି ଉତ୍ତର ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ।