ଶିକ୍ଷାକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ
1 min read
ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ସ୍ତରରେ କେନ୍ଦ୍ର ସରକାରଙ୍କ ଚାଲିଛି ସମଗ୍ର ଶିକ୍ଷା ଯୋଜନା। ଏହି ଯୋଜନାରେ ପ୍ରି ସ୍କୁଲଠାରୁ ଦ୍ଵାଦଶ ପର୍ଯ୍ୟନ୍ତ ଶିକ୍ଷାକୁ ସାମଗ୍ରିକ ଭାବେ ଦେଖାଯାଏ। ଶିକ୍ଷା ଅଧିକାର ଆଇନ ଅନୁସାରେ ଏହି ଯୋଜନା ଚାଲେ। ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ସମଗ୍ର ଶିକ୍ଷା ଯୋଜନା କରାଯାଇଛି ବୋଲି ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ। ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନର କେନ୍ଦ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ମାନସ ମଙ୍ଗରାଜଙ୍କ ପ୍ରଶ୍ନ ଥିଲା- ଓଡ଼ିଶାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି। ଗତ ୩ ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶାରେ କେତେ ନୂଆ ସ୍କୁଲ ନିର୍ମିତ ହୋଇଛି। ମହିଳାଙ୍କ କ୍ଷେତ୍ରରେ ସ୍ଵାକ୍ଷରତା ହାର ବୃଦ୍ଧି ପାଇଁ ଓ ସ୍କୁଲରେ ଅଧିକ ଝିଅ ଯେମିତି ନାମ ଲେଖାଇବେ, ସେଥିପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି।
ସେହିପରି ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଲୋକେ ଯେମିତି ପାଠ ପଢ଼ିବେ, ତା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ କହିଛନ୍ତି, ସମଗ୍ର ଶିକ୍ଷା ଅଧୀନରେ ଓଡ଼ିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ଏହି ସବୁ ସହାୟତା ପ୍ରଦାନ କରାଯାଉଛି। ଏଥିରେ ରହିଛି ପିଲାଙ୍କୁ ମାଗଣା ୟୁନିଫର୍ମ, ମାଗଣାରେ ବହି ପ୍ରଦାନ, ଆଦିବାସୀ ଭାଷାରେ ବହି ପ୍ରସ୍ତୁତି। ନୂଆ ସ୍କୁଲ ମଧ୍ୟ ନିର୍ମାଣ କରାଯାଉଛି। DIET, BRC, CRC, ICT ଜରିଆରେ ଶିକ୍ଷକଙ୍କୁ ଟ୍ରେନିଂ ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ସମଗ୍ର ଶିକ୍ଷା ଯୋଜନାରେ ୩ ବର୍ଷରେ ୧୬ଟି ନୂଆ ମାଧ୍ୟମିକ ସ୍କୁଲ ନିର୍ମିତ ହୋଇଛି। ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମିତ ହୋଇଛି ୩ ବର୍ଷରେ। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ତରଫରୁ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯାଇଛି।
୩ ବର୍ଷରେ ୨ଟି ଏପରି ସ୍କୁଲ ସଂପୂର୍ଣ୍ଣ ହୋଇଛି। ୨୦୨୪ରେ ଆହୁରି ୯ଟି ଏପରି ସ୍କୁଲ ସଂପୂର୍ଣ୍ଣ ହୋଇଛି। ମହିଳା ସ୍ଵାକ୍ଷରତା ହାର ବୃଦ୍ଧି ପାଇଁ ମାଧ୍ୟମିକ ସ୍କୁଲ ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା, ୩୪୨ଟି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏଠାରେ ଛାତ୍ରୀମାନେ ମାଗଣାରେ ରହି ପାଠ ପଢିବେ। ମାଗଣାରେ ୟୁନିଫର୍ମ ପ୍ରଦାନ କରାଯାଉଛି। ଷଷ୍ଠରୁ ଦଶମ ଯାଏ ସବୁ ସରକାରୀ ସ୍କୁଲରେ ଲିଙ୍ଗ ଭେଦ ଦୂର ପାଇଁ ବର୍ଣ୍ଣାଳି କାର୍ଯ୍ୟକ୍ରମ ଚାଲିଛି। ଝିଅମାନଙ୍କୁ ପ୍ରଦାନ କରାଯାଉଛି ସେଲଫ୍ ଡିଫେନସ ଟ୍ରେନିଂ। ଖୁସି ଯୋଜନାରେ ମାଗଣାରେ ସାନିଟାରି ନାପକିନ୍ ବି ପ୍ରଦାନ କରାଯାଉଛି। ଆଦିବାସୀ ପିଲାଙ୍କୁ ସେମାନଙ୍କ ଭାଷାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା। ସେଥିପାଇଁ ୩୨୦୦ ଶିକ୍ଷକ ନିଯୁକ୍ତି କରାଯାଇଛି। ୨୧ ଆଦିବାସୀ ଭାଷାରେ ପୁସ୍ତକ ପ୍ରସ୍ତୁତ କରାଯାଇଛି। ମଲଟି ଲିଙ୍ଗୁଆଲ୍ ଏଜୁକେସନର ବ୍ୟବସ୍ଥା ମଧ୍ୟ କରାଯାଉଛି।