ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ କେତେ ଜନଜାତି ଅଛନ୍ତି? ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି? ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ରାଜ୍ୟସଭାରେ ପ୍ରଶ୍ନ ପଚାରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ୯୫ ଲକ୍ଷ ୯୦ ହଜାର ୭୫୬ଜଣ ଆଦିବାସୀ ଅଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ୧୧ଟି ଯୋଜନା ଅନ୍ତର୍ଗତ ରାଜ୍ୟକୁ ପାଣ୍ଠି ପ୍ରଦାନ କରୁଛନ୍ତି। ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତୀୟ ବିକାଶ ମିଶନ, ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ସମ୍ବିଧାନର ୨୭୫ଧାରା ଅନୁଯାୟୀ ଗ୍ରାଣ୍ଟ, ଏସସିଏ ଟୁ ଟିଏସଏସ, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଥିବା ସ୍ବଚ୍ଛାସେବୀ ଅନୁଷ୍ଠାନ, ପ୍ରି-ମ୍ୟାଟ୍ରିକ ସ୍କଲାରସିପ ଟୁ ଏସଟି ଷ୍ଟୁଡେଣ୍ଟସ, ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ଟୁ ଏସଟି ଷ୍ଟୁଡେଣ୍ଟସ, ଜନଜାତି ବିକାଶ ଯୋଜନା, ଏନଏସଟିଏଫଡିସି, ସପୋର୍ଟ ଟୁ ଟିଆରଆଇ ଭଳି ଯୋଜନାରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଆସୁଛନ୍ତି। ଏସବୁ ଯୋଜନାରେ ଗତ ୩ ବର୍ଷରେ ଓଡ଼ିଶାକୁ ମିଳିଛି ୨ ହଜାର ୭୮୭ କୋଟି ୩ ଲକ୍ଷ ଟଙ୍କା।

