ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ବ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ମାନସ ମଙ୍ଗରାଜ । ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମାନସଙ୍କୁ ନୂଆ ଦାୟିତ୍ବ ମିଳିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ । ମାନସ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ । ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି ଅମର । ମାନସ ମଙ୍ଗରାଜ ରାଜ୍ୟସଭା ବିଜେଡି ମୁଖ୍ୟ ସଚେତକ ହେବା ଏକ ଭଲ କଥା । ତାଙ୍କ ପରି ଅଭିଜ୍ଞ ସଦସ୍ୟ ଦଳ ପାଇଁ ଜରୁରୀ । ଦଳ ବହୁତ ଭଲ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଅନ୍ୟତମ ସାଂସଦ ପ୍ରଶାନ୍ତ ନନ୍ଦ । ଠିକ ସମୟରେ ଠିକ ଲୋକଙ୍କୁ ଦାୟିତ୍ୱ ମିଳିଛି । କେଉଁମାନେ ବିଲ ଆଲୋଚନାରେ ଭାଗ ନେବେ, କେତେ ସମୟ କହିବେ ଓ କଣ କହିବେ ସେଥିରେ ସେ ସାହାଯ୍ୟ କରିବେ । ଦଳର ନିର୍ଦ୍ଦେଶ ସେ ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚାଇପାରିବେ ବୋଲି କହିଛନ୍ତି ପ୍ରଶାନ୍ତ ।