ଜାଣନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଅଜଣା କଥା

1 min read

ନନ୍ଦିଘୋଷ ବ୍ୟୁରୋ: ଡକ୍ଟର ମନମୋହନ ସିଂହ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ହାସଲ କରିଥିଲେ ମନମୋହନ ସିଂହ। ଏହାପରେ ୧୯୬୨ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ ଲାଭ କରିଥିଲେ। ପାଠ ପଢ଼ା ସମୟରେ ସେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପରେ ସେ ଜେନିଭାରେ ୧୯୮୭ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ ହୋଇ ଦାୟିତ୍ୱ ସଂପାଦନ କରିଥିଲେ। ୧୯୭୧ ମସିହାରେ ମନମୋହନ ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହା ପରେ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଡକ୍ଟର ସିଂହ କାର୍ଯ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ଅନ୍ୟତମ। ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ଡକ୍ଟର ସିଂହ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ।

ଏହି ସମୟରେ ସେ ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଅୟମାରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ। ଭାରତର ସେହି ଅବଧି ଡକ୍ଟର ସିଂହଙ୍କ ବ୍ୟକ୍ତିତ୍ୱ ସହ ଓତଃପ୍ରୋତ ଭାବେ ଜଡିତ ଥିଲା। ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର, କେମ୍ବ୍ରିଜ ସେଣ୍ଟ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ ଅନ୍ୟତମ ।

ମନମୋହନ ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନ ଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି। ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାରେ ନିର୍ବାଚିତ ହେବା ସହ ୧୯୯୮ ଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇଥିଲେ। ୨୦୦୪ ମସିହାର ସାଧାରଣ ନିର୍ବାଚନରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବଂ ପୁନର୍ବାର ୨୦୦୯ ମସିହା ମେ’୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଡକ୍ଟର ସିଂହ ଏବଂ ତାଙ୍କ ପତ୍ନୀ ଗୁରୁଶରଣ କୌର ତିନୋଟି କନ୍ୟା ସନ୍ତାନର ପିତାମାତା ।