ଜାଣନ୍ତୁ, ଦୃଷ୍ଟିହୀନ ହୋଇ ମଧ୍ୟ କରୁଛନ୍ତି ଦୁଇ ଦୁଇଟି ବ୍ୟବସାୟ ! ନିଜେ ନିଜକୁ କରୁଛନ୍ତି ସ୍ୱାବଲମ୍ବି

Blind Man

ଗଞ୍ଜାମ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୃଷ୍ଟି ବାଧକତା । ଭିନ୍ନକ୍ଷମତାକୁ ପରାସ୍ତ କରି ସ୍ୱାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ । ଆଖିକୁ ଦିଶୁନଥିଲେ ମଧ୍ୟ ନିଜ ଆତ୍ମବିଶ୍ୱାସ ବଳରେ ରୋଜଗାରକ୍ଷମ ହୋଇଛନ୍ତି କଂଗ୍ରେସ ବେହେରା । ଆଉ ଦୁଇଟି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ସେ ଜଣେ ଭିନ୍ନକ୍ଷମ କିନ୍ତୁ ସକ୍ଷମ । ତାଙ୍କ ଆଗରେ ହାରମାନିଛି ଦୃଷ୍ଟି ବାଧକତା । ପରାସ୍ତ ହୋଇଛି ସଂସାରର ସବୁ ବାଧାବିଘ୍ନ । ଆତ୍ମବିଶ୍ୱାସକୁ ପୁଞ୍ଜି କରି ଦୁନିଆ ଆଗରେ ସୃଷ୍ଟି କରିଛନ୍ତି ନୂଆ ଦିଗଦର୍ଶନ । ଗଞ୍ଜାମ ଜିଲ୍ଲା ପୁରୁଷତ୍ତୋମପୁର ବ୍ଲକ୍ ପ୍ରତାପପୁରର କଂଗ୍ରେସ ବେହେରା । ଆଖିକୁ ଦିଶୁନଥିଲେ ମଧ୍ୟ ଅତ୍ମବିଶ୍ୱାସ ବଳରେ ଜୀବନ ଜିଉଁଛନ୍ତି । ଅନ୍ୟ ଉପରେ ସାହାରା ନହୋଇ ଟେଣ୍ଟ ହାଉସ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ଖାଲି ସେତିକି ନୁହେଁ, ଦୃଷ୍ଟିବାଧକ ହୋଇ ମଧ୍ୟ ବାହାଘର, ବ୍ରତଘରରେ ସାଜସଜା କରୁଛନ୍ତି କଂଗ୍ରେସ ।

ସେହିପରି ଗାଁରେ ସିମେଣ୍ଟ ନନ୍ଦ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ମାପ ଚୁପ ଠାରୁ ଆରମ୍ଭ କରି ସମସ୍ତ କାମ କରୁଛନ୍ତି । କଂଗ୍ରେସଙ୍କ ଏଭଳି ଆତ୍ମନିର୍ଭରଶୀଳତାକୁ ନେଇ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରୁଛନ୍ତି । ଜୀବନ ଜିଇଁବାର ନୂଆ ଦିଗଦର୍ଶନ ଦେଇଛନ୍ତି କଂଗ୍ରେସ । ଆଉ ଭିନ୍ନକ୍ଷମତାକୁ ପରାସ୍ତ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

Leave a Reply