ଆମକୁ ଅଡ଼ୁଆ ତାଙ୍କୁ ବଢିଆ, ଅନ୍ଧବିଶ୍ଵାସରେ ଆଜି ବି ସାପ ଖାଉଛି ମଣିଷ

ନବରଙ୍ଗପୁର: ସାପକୁ କାହାର ବା ଡର ନାହିଁ । ସାପ ନାଁ ଶୁଣିଲେ ମନରେ ଛନକା ପଶେ । ହେଲେ ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ସାପକୁ ନେଇ ଭୟ ତ ନାହିଁ । ପୁଣି ସାପକୁ ମାରିକି ସାପ ମାଂସ ଖାଇବାକୁ ପଛାଉନାହାଁନ୍ତି । ସାପ ମାଂସକୁ ରୁଚିକର ଓ ସୁସ୍ୱାଦୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ନବରଙ୍ଗପୁର ଜିଲ୍ଲା ରଙ୍ଗମାଟିଗୁଡା ଗାଁ ର କିଛି ଭୂମିଆ ସମ୍ପ୍ରଦାୟ ଲୋକ । ନାଗ, ଢମଣା, ଧଣ୍ଡ ଭଳି ସାପ ଓ ବଡ଼ ବଡ଼ ବେଙ୍ଗ ମାଂସକୁ ଖାଇଥାନ୍ତି ଏମାନେ ।

ନବରଙ୍ଗପୁର ରଙ୍ଗମାଟିଗୁଡା ଗାଁ  । ଗାଁରେ ବାସ କରୁଥିବା ଭୂମିଆ ସଂପ୍ରଦାୟ ଲୋକଙ୍କର ଆହାର ପାଲଟିଛନ୍ତି ସାପ । ବିଷଧର ହେଉ କି ଅଣବିଷଧର । ସେଥିରେ କିଛି ମାନେ ନାହିଁ । ଯାହା ଆଖିରେ ପଡ଼ିଲା ସେ ହେଲା ଭୋଜି । ସାପ ମାଂସକୁ ଏଠିକାର ବାସିନ୍ଦା ରୁଚିକର ଏବଂ ଔଷଧୀୟ ବୋଲି ଗ୍ରହଣ କରିନେଇଛନ୍ତି । ଭୟଙ୍କର ନାଗ ଢାମଣାକୁ ଏମାନେ ଚୁଟକିରେ ଧରି ଆହର ପାଇଁ ପ୍ରସ୍ତୁତ କରିଥାନ୍ତି । ଦେଖନ୍ତୁ କିପରି ଏଠି ଚାଲିଛି ସାପ ମାଂସ କଟା । ପ୍ରାୟ ଛଅ ଫୁଟର ଢାମଣା ସାପକୁ ଗଛ ଉପରେ ଟାଙ୍ଗି ଦିଆଯାଇଛି । ଏହାର ଛାଲ ଉତାରି କଣ୍ଟା ବାହାର କରି ମାଂସ କଟାଯାଉଛି । ମାଂସ ପ୍ରସ୍ତୁତ ହୋଇଗଲେ ତାକୁ ତେଲ ମସଲା ଦେଇ ତରକାରୀ କରି ଭାତ ସଙ୍ଗେ ଖାଇଥାନ୍ତି  । ଏହା ଆମ ପାଇଁ ଅଜବ ହୋଇଥିଲେ ମଧ୍ୟ ଭୂମିଆ ଜାତି ଲୋକଙ୍କ ପାଇଁ ଏହା ନିହାତି ସାଧାରଣ କଥା । ପିଲା ଠାରୁ ବୁଢା ସମସ୍ତେ ସାପ ମାଂସ ସ୍ୱାଦର ମଜା ନେଇଥାନ୍ତି । କେବଳ ସାପ ନୁହେଁ ବଡ଼ ବଡ଼ ବେଙ୍ଗ ମଧ୍ୟ ଖାଇଥାନ୍ତି ଏମାନେ ।

ତେବେ ସାପ ଓ ବେଙ୍ଗ ମାଂସରେ ଔଷଧୀୟ ଗୁଣ ରହିଥିବା ସେମାନେ ଦାବି କରନ୍ତି । ପେଟ ସମସ୍ୟାରେ ପୀଡ଼ିତ ବ୍ୟକ୍ତି କିମ୍ବା ଶିଶୁ ଖାଇଲେ ରୋଗ ଭଲ ହେଉଥିବା କହିଛନ୍ତି । ଏହାସହ ଗର୍ଭବତୀ ମହିଳା ସାପ ମାଂସ ଖାଇଲେ ପ୍ରସବ ସମୟରେ କୌଣସି ଯନ୍ତ୍ରଣା ହୋଇନଥାଏ, ସୁରକ୍ଷିତ ଡେଲିଭରି ହେଉଥିବା କହିଛନ୍ତି ଏଠିକାର ବାସିନ୍ଦା । ଧଣ୍ଡ ଓ ଢମଣା ଖାଇଲେ ଭୁତ ପ୍ରେତ ଶରୀରରେ ପ୍ରବେଶ କରି ନ ଥାନ୍ତି ବୋଲି ଏମାନଙ୍କ ବିଶ୍ୱାସ ରହିଛି । ବେଙ୍ଗ ମାଂସ ଖାଇଲେ ଶିଶୁ ହୃଷ୍ଟପୃଷ୍ଟ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି ଜଣେ ମହିଳା । ଗାଁର କେହି କେହି ୩୦ ରୁ ଅଧିକ ସାପ ଖାଇଥିବା ପ୍ରକାଶ କରିଛନ୍ତି ।

ପୂର୍ବ ପୀଢିଙ୍କୁ ଅନୁସରଣ କରି ନିର୍ଦ୍ଧିଷ୍ଟ ପ୍ରକାର ସାପ ସହ ନାଗ ସାପ ଓ ବେଙ୍ଗରେ ଔଷଧୀୟ ଗୁଣ ରହିଥିବା ସେମାନେ କହିବା ସହ ବିଶ୍ୱାସରେ ଖାଉଛନ୍ତି । ନାଗ ଭଳି ବିଷ ଧର ସାପର ମୁଣ୍ଡ କାଟି ବିଷ କାଢି ତାକୁ ରାନ୍ଧି ଖାଇଥାନ୍ତି  । ଅପରପକ୍ଷେ ଆୟୁର୍ବେଦ ଚିକିତ୍ସାରେ ଏଭଳି କିଛି ଔଷଧ ରହିଛି କି ତାହା ଜାଣିବା ପାଇଁ ଆମେ ଭେଟିଥିଲୁ ଜଣେ ଆୟୁର୍ବେଦ ଚିକିତ୍ସକଙ୍କୁ  । ତାଙ୍କର ମତ ହେଲା ସାପ ମାଂସ ଖାଇଲେ ବିପଦ । ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରିବ ବୋଲି କହିଛନ୍ତି ଆୟୁର୍ବେଦ ଚିକିତ୍ସକ ।

ତେବେ ବିନା କୌଣସି ଭୟରେ ଭୂମିଆ ସଂପ୍ରଦାୟ ସାପ ମାଂସ ଖାଇବା ମନକୁ ବିଚଳିତ କରିଦେଉଛି । ତେବେ ଗାଁର କିଛି ଲୋକ ସାପ ମାଂସ ଆଦୌ ଖାଆନ୍ତି ନାହିଁ ବୋଲି କହିଛନ୍ତି  ।

Leave a Reply