କଥା ହେବାକୁ ମନା କରିବାରୁ ଯୁବତୀଙ୍କୁ ପେଚକସରେ ୫୧ ଥର ଭୁସି ହତ୍ୟା

ରାୟପୁର: ୨୦୨୨ ମସିହା ଟି ପ୍ରେମ ପ୍ରତାରଣା ଆଉ ହତ୍ୟା ଭଳି ଘଟଣାରେ ଭରପୁର ରହିଥିଲା । ବର୍ଷ ଶେଷ ହେବା ବେଳକୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଶୁଣିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଛତିଶଗଡ଼ର କୋରବା ଜିଲ୍ଲାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ହତ୍ୟା କରି ଦିଆଯାଇଛି । ଜଣେ ଯୁବକ ଯୁବତୀଙ୍କୁ ପେଚକସ୍ ଭୁସି ହତ୍ୟା କରିଛି । ସାଇତାନ ଯୁବକ ଜଣଙ୍କ ପେଚକସରେ ଲଗାତାର ୫୧ ଥର ଆକ୍ରମଣ କରିଥିଲା । ପୋଲିସ କହିବା ଅନୁଯାୟୀ, ଘଟଣା ସମୟରେ ଯୁବତୀ ଜଣଙ୍କ ଘରେ ଏକାକୀ ଥିଲେ ।

ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା ଏବଂ ମହିଳାଙ୍କ ସହ ମାରପିଟ କରିଥିଲା । ମହିଳାଙ୍କ ଚିତ୍କାର ବାହାରକୁ ନଶୁଣାଯାଉ ସେଥିପାଇଁ ଅଭିଯୁକ୍ତ ତାଙ୍କ ମୁହଁ ଏକ ତକିଆରେ ବନ୍ଦ କରିଦେଇଥିଲା । ଏହାପରେ ସାଇତାନ ଭଳି ମହିଳାଙ୍କ ଉପରେ ପେଚକସରେ ଆକ୍ରମଣ କରିଚାଲିଥିଲା । ପୋଲିସ ମୁତାବିକ, ଅଭିଯୁକ୍ତ ମୋଟ ୫୧ ଥର ପେଚକସରେ ଆକ୍ରମଣ କରିଥିଲା । ଘଟଣାଟି ୨୪ ଡିସେମ୍ବରରେ ଘଟିଛି । ମହିଳାଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଯୁବତୀଙ୍କ ଭାଇ ଘଟଣାର କିଛି ସମୟ ପରେ ଘରେ ପହଞ୍ଚି ଦେଖିଥିଲେ ଯେ ରକ୍ତରେ ଜୁଡ଼ୁବୁଡ଼ୁ ତାଙ୍କ ଭଉଣୀ ତଳେ ପଡ଼ିଥିଲା ।

ଏହା ଦେଖି ସେ ବେହୋସ୍ ହୋଯାଇଥିଲେ । ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ଜଶପୁର ଜିଲ୍ଲାର ବାସିନ୍ଦା ଅଟେ । ଅଭିଯୁକ୍ତ ସହ ମହିଳାଙ୍କ ବନ୍ଧୁତା ୩ ବର୍ଷ ପୂର୍ବେ ହୋଇଥିଲା । ଅଭିଯୁକ୍ତ ପ୍ରଥମେ ବସ୍ କଣ୍ଡକ୍ଟର ଥିଲା । ଯୁବତୀ ଜଣଙ୍କ ପ୍ରାୟତଃ ସମୟ ସେହି ବସରେ ଯାତ୍ରା କରୁଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ।

ପୋଲିସ କହିବା ମୁତାବକ, ଅଭିଯୁକ୍ତ ଯୁବକ ପରେ ଚାକିରି ପାଇଁ ଗୁଜରାଟର ଅହମ୍ମଦାବାଦ ଚାଲି ଯାଇଥିଲା । ଅଭିଯୁକ୍ତ ଏବଂ ଯୁବତୀଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଚାଲିଥିଲା । ମହିଳା ଜଣଙ୍କ ଯେବେ ଫୋନରେ କଥା ହେବା ପାଇଁ ମନା କରିଦେଲେ ତେବେ ଅଭିଯୁକ୍ତ ତାଙ୍କୁ ଏବଂ ତାଙ୍କ ମା’ ବାପାଙ୍କୁ ଧମକ ଦେଇଥିଲା । ଏବଂ ଗୋଟିଏ ଦିନ ସୁଯୋଗ ପାଇଁ ଏହି କାଣ୍ଡ ଭିଆଇଛି ଯୁବକ ଜଣଙ୍କ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।