ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ୍

ଭୁବନେଶ୍ବର: ପୂଜା ପୂର୍ବରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍ ୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ୩ ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ୍ ଓ ତାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ସହଯୋଗୀ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।

ମୃତକ ହେଲେ ପି ସୁବ୍ରତ ରାଓ । ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲେ ସୁବ୍ରତ । ହେଲେ ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଅଭିଯୁକ୍ତ ଦମ୍ପତି ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୁବ୍ରତ ରାଓ ଓରଫ ଚନ୍ଦୁଙ୍କ ପଛ ପଟ ମୁଣ୍ଡକୁ ଏକ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ଆହତ ୨ ସହଯୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।