ସାଙ୍ଗମାନଙ୍କ ସହ ତାସ ଖେଳିଲେ,୨୪ ଜଣଙ୍କୁ କରୋନା ବାଣ୍ଟିଲେ !

ବିଜୟୱାଡା: କରୋନା ଭାଇରସ ସଙ୍କଟ ଯୋଗୁଁ ଏବେ ସମଗ୍ର ଭାରତରେ ଲକଡାଉନ୍ ୨.୦ ଜାରି ରହିଛି । ଅନେକ ସ୍ଥାନରେ ଲୋକେ ଏହି ନିୟମ ପାଳିବା ସହ କିଛିଟା ସ୍ଥାନରେ ଲୋକେ ସାମାଜିକ ଦୂରତା ପାଳନ କରୁନାହାନ୍ତି । ହେଲେ ନିୟମ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ । ତେବେ ଜଣେ ବ୍ୟକ୍ତିଙ୍କ ଭୁଲ ଯୋଗୁଁ ୨୪ ଜଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଘଟିଛି । କରୋନା ଭାଇରସ୍ ଲକଡାଉନ୍ କାରଣରୁ ଘରେ ବସି ବିରକ୍ତ ହୋଇଥିବାରୁ ଜଣେ ବ୍ୟକ୍ତି ବନ୍ଧୁମାନଙ୍କ ସହିତ କାର୍ଡ ଖେଳିବାକୁ ଯାଇଥିଲେ । ଏହା ପରେ ୨୪ ଜଣ ବ୍ୟକ୍ତି କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଖବର ଆସିଛି । କୃଷ୍ଣା  ଜିଲ୍ଲା ମାଜିଷ୍ଟ୍ରେଟ ଏ ମହମ୍ମଦ ଇମତିଆଜ ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ, ବିଜୟୱାଡାର ଆଉ ଏକ ଅଞ୍ଚଳରେ ଜଣେ ଟ୍ରକ୍ ଡ୍ରାଇଭର ନିଜ ବନ୍ଧୁମାନଙ୍କୁ ଭେଟିବାକୁ ଯାଇଥିଲେ । ସେଠାରେ ସେମାନେ ଏକାଠି ହୋଇଥିବାରୁ ସେଠାରେ ମଧ୍ୟ ୧୫ଜଣ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି ।

ଇମତିଆଜଙ୍କ କହିବା ଅନୁସାରେ, ଗତ ଦୁଇ ଦିନ ମଧ୍ୟରେ ଉଭୟ ଘଟଣା ଯୋଗୁଁ ପ୍ରାୟ ୪୦ ଜଣ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି। ସେ କହିଛନ୍ତି ଯେ, କୃଷ୍ଣ ଜିଲ୍ଲାରର ଜଣେ ବ୍ୟକ୍ତି ନିଜ ବନ୍ଧୁମାନଙ୍କ ସହ କାର୍ଡ ଖେଳୁଥିବାବେଳେ ମହିଳାମାନେ ଦଳରେ ତମ୍ୱୋଲା ଖେଳୁଥିଲେ। ଏହି ସମୟ ମଧ୍ୟରେ, ସାମାଜିକ ଦୂରତା ଅଭାବରୁ ୨୪ ଜଣ ଲୋକେ କରୋନା ସଂକ୍ରମିତ ହୋଇଥିଲେ  ।

ଅପରପକ୍ଷରେ କର୍ମିକା ନଗରରେ ମଧ୍ୟ ଏଭଳି ଘଟଣା ଘଟିଛି। ଜଣେ ଟ୍ରକ ଡ୍ରାଇଭର ସାମାଜିକ ଦୂରତାକୁ ଉଲ୍ଲଂଘନ କରିଥିଲେ । ଯେଉଁଥିପାଇଁ ୧୫ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ସାମାଜିକ ଦୂରତାକୁ ପାଳନ ନକରିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଅନୁସରଣ କରିବାକୁ ସେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଜୟୱାଡାରେ ଏଯାଏଁ କରୋନାଭାଇରସରେ ୧୦୦ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

Leave a Reply