ସିଟ ପାଇଁ ପାଟିତୁଣ୍ଡ: ଟ୍ରେନ ଭିତରେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ

1 min read

ଥିରୁଅନନ୍ତପୁରମ୍: ଟ୍ରେନ ଭିତରେ ସାମାନ୍ୟ କଥାକୁ ନେଇ ମହାଭାରତ । ସାମାନ୍ୟ ପାଟିତୁଣ୍ଡରୁ ଟ୍ରେନ ଭିତରେ ଜଣେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ଯୁବକ । କେବଳ ଏତିକି ନୁହେଁ ପୋଡି ମାରିବାକୁ ବି ଚେଷ୍ଟା କରାଯାଇଛି । ଏହି ଘଟଣା ଘଟାଇବା ପରେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଛି । ଘଟଣାରେ ୩ ଜଣ ପ୍ରାଣ ହରାଇଥିଲାବେଳେ ୮ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।

ଏହି ଘଟଣା ଘଟିଛି କେରଳରେ । ଅଲଫୁଝା-କନ୍ନୁର ଏକ୍ସପ୍ରେସର କୋଚ ନଂ ଡି-୧ରେ ଏହି ଘଟଣା ଘଟିଛି । ଟ୍ରେନଟି ପ୍ଲାଟଫର୍ମ ଛାଡ଼ିବା ପରେ ଟ୍ରେନରେ ବସିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତି ପ୍ରାୟ ୯.୪୫ ବେଳକୁ ଟ୍ରେନରେ ନିଆଁ ଲାଗିଥିବା ଖବର ଆସି ପହଞ୍ଚିଥିଲା ।

ଏ ନେଇ ପୋଲିସ ତଦନ୍ତ କରିବା ବେଳେ ଜଣେ ଛୋଟ ପିଲା ସହ ୩ ଜଣଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର କରାଯାଇଛି । ଏହି ମୃତଦେହ ଇଲାଣୁର ରେଳ ଷ୍ଟେସନ ନିକଟରୁ ମିଳିଛି । ଟ୍ରେନରେ ନିଆଁ ଲାଗିବା ପରେ ସେମାନେ ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ ।

ଏହା ସହ ଟ୍ରାକରୁ ଗୋଟିଏ ବୋତଲ ପେଟ୍ରୋଲ ଏବଂ ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କ କହିବା ଅନୁସାରେ ଟ୍ରେନରେ ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ରହିଥିଲା । ଏହି ସମୟରେ ଜଣେ ଯୁବକ ତଳକୁ ଡେଇଁଥିଲେ । ଏହା ପରେ ପୂର୍ବରୁ ଅପେକ୍ଷା କରିଥିବା ଜଣେ ଯୁବକ ସହ ବାଇକରେ ଫେରାର ହୋଇଯାଇଥିଲେ ।

ତେବେ ଏପରି କାର୍ଯ୍ୟକଳାପ ଯୋଜନାବଦ୍ଧ ବୋଲି କୁହାଯାଉଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

କେପିସିସି ସଭାପତି ତଥା କନ୍ନୁରର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ଘଟଣା ନେଇ ଚିଠି ଲେଖିଛନ୍ତି । ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମେତ ଟ୍ରେନରେ ନିଆଁ ଲାଗିଯାଇଥିବା ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ କହିଛନ୍ତି।