ଫରେଷ୍ଟ ଗାର୍ଡ୍ ପରୀକ୍ଷାରେ କଇଁଛ-ଠେକୁଆ କାହାଣୀ, ସଭା ଆଗରେ ଥିବା ପରୀକ୍ଷାର୍ଥୀ ଆରମ କରୁକରୁ ଶୋଇ ପଡ଼ିଲେ

1 min read

ଭୋପାଳ: ପରୀକ୍ଷା ଦେବାକୁ ଆସିଥିଲେ ହେଲେ ଆରାମ କରୁ କରୁ ଶୋଇପଡିଲେ ପରୀକ୍ଷାର୍ଥୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଫରେଷ୍ଟ ଗାର୍ଡ ପରୀକ୍ଷାରେ । ଫିଜିକାଲ୍ ଟେଷ୍ଟ ଚାଲିଥିବା ବେଳେ ସମ୍ପୃକ୍ତ ପରୀକ୍ଷାର୍ଥୀ ସବୁଠୁ ଆଗରେ ଥିବା ସତ୍ୱେ ଫେଲ୍ ହୋଇଗଲେ । ପରୀକ୍ଷାର୍ଥୀ ଜଣକ ଟିକେ ଆରାମ କରିବା ପାଇଁ ରାସ୍ତାକଡ଼ରେ ବସିଯାଇଥିଲେ । ପରେପରେ ସେଠି ହିଁ ଶୋଇପଡିଥିଲେ ଆଉ ଆଖି ଖୋଲିଲା ବେଳକୁ ସବୁ କିଛଇ ଓଲଟପାଲଟ ହୋଇଯାଇଥିଲା । ପଛରେ ଥିବା ପରୀକ୍ଷାର୍ଥୀ ମାନେ ଟେଷ୍ଟରେ ଜିତିସାରିଛନ୍ତି । ଘଟଣା ସମ୍ପର୍କରେ ଜାଣି ସେ ପଶ୍ଚାତାପ କରୁଥିବା ବେଳେ ଲୋକମାନେ କଇଁଛ-ଠେକୁଆର କାହାଣୀକୁ ମନେ ପକାଇଛନ୍ତି ।

ରିପୋର୍ଟ ଅନୁସାରେ ଗୋୱାଲିୟରର ୨୧ ବର୍ଷୀୟ ଯୁବକ ପହାଡ ସିଂ ୨୮ ମାର୍ଚ୍ଚରେ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବାକୁ ଆସିଥିଲା । ପରୀକ୍ଷାରେ ମୋଟ୍ ୬୧ ଜଣ ପରୀକ୍ଷାର୍ଥୀ ଥିଲେ । ଯେଉଁଥିରେ ୯ ଝିଅ ଓ ୫୨ ପୁଅ ଥିଲେ ।

ତେବେ ପରୀକ୍ଷାରେ ସମସ୍ତଙ୍କୁ ୪ ଘଣ୍ଟା ମଧ୍ୟରେ ୨୪ କିମି. ଚାଲିବାକୁ ଥିଲା । ସକାଳ ୬ଟାରୁ ଖଣ୍ଡୱାର ହରସୁଦ୍ ରୁ ବାହାରୁଥିବା ଏହି ପଦଯାତ୍ରା ଦିନ ୧୦ଟା ବେଳକୁ ପୁଣି ସ୍ଥାନରେ ସରିବାର ଥିଲା ।  ଏହି ଟେଷ୍ଟରେ ପହାଡ ସିଂହ ସମସ୍ତଙ୍କୁ ପଛରେ ପକାଇ ଆଗରେ ଥିବା ବେଳେ ଲାଷ୍ଟ ଚେକ୍ ପଏଣ୍ଟରେ ତା’ର ଦେଖାନଥିଲା । ପହାଡ ସିଂହଙ୍କ ପତ୍ତା ନମିଳିବାରୁ ତାଙ୍କୁ ଖୋଜିବା ପାଇଁ ଫରେଷ୍ଟ ଅଧିକାରୀ ମାନେ ବାହାରି ପଡିଲେ । ଲାଷ୍ଟ ପଏଣ୍ଟ ଠାରୁ ଅନତି ଦୂରରେ ଥିବା ଏକ ଗଛ ମୂଳେ ସେ ଶୋଇଥିବା ନଜର ଆସିଥିଲା । ଟିମ୍ ସଦସ୍ୟ ତାକୁ ଉଠାଇବା ପରେ ସେ ଉଠିଥିଲା । ହେଲେ ସେତେବେଳକୁ ସବୁ ସାରିଯାଇଥିଲା । ଏମିତିକି ସେ ସିଲେକ୍ଟ ମଧ୍ୟ ହୋଇପାରିନଥିଲା ।

ଏନେଇ ସେ ପଶ୍ଚାତାପ କରିବା ସହ କହିଛି, ପାଦରେ ଫୋଟକା ହୋଇଯାଇଥିଲା, ଟିକା ଥକା ମେଣ୍ଟାଇବା ପାଇଁ ବସିପଡିଥିଲା । ହେଲେ କେତେବେଳେ ଆଖି ଲାଗିଗଲା ଜାଣିପାରିଲି ନାହିଁ । ଏହି ଚାକିରୀ ପାଇଁ ବର୍ଷବର୍ଷ ଧରି ପରିଶ୍ରମ କରିଥିଲି କିନ୍ତୁ ସାମାନ୍ୟ ଭୁଲ୍ ପାଇଁ ସରକାରୀ ଚାକିରୀ ହାତରୁ ପଳାଇଲା ।