ଚାକିରି ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଚାକିରି ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ରାଜଧାନୀରୁ ନେଇ ବ୍ରହ୍ମପୁରରେ ଦୁଷ୍କର୍ମ କଲା ଧରମ ଭାଇ । ହେଲେ କଳେ ବଳେ କୌଶଳେ ସେଠାରୁ ଖସି ଆସିବା ପରେ ନିଜର ଦୁଃଖ ବଖାଣିଛନ୍ତି ମହିଳା ଜଣକ । ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ବାମୀଙ୍କ ଉପସ୍ଥିତିରେ ସହିଦନଗର ଥାନାରେ ଏତଲା ଦେଇଛନ୍ତି । କଠିନ ଦଣ୍ଡ ଦେବା ପାଇଁ ଦାବି କଲେ ମହିଳା ।

ମହିଳା ଜଣଙ୍କ କହିବା ଅନୁଯାୟୀ, ଏକ କମ୍ପାନୀରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଦୀପୁ ଦଳାଇ ନାମକ ଜଣେ ଯୁବକ କାର୍ଯ୍ୟ କରୁଥିଲା । ମହିଳା ଜଣଙ୍କୁ ଦୀପୁ ଧରମ ଭଉଣୀ କରି ନିକଟତର ହୋଇଥିଲା । ଏହାପରେ ବଡ଼ କମ୍ପାନୀରେ ଚାକିରି କରାଇଦେବା କହି ଟ୍ରେନରେ ବ୍ରହ୍ମପୁର ନେଇଯାଇଥିଲା । ମହିଳା ଜଣଙ୍କ ସହ ତାଙ୍କ ଦୁଇ ପିଲା ମଧ୍ୟ ଯାଇଥିଲେ ।

ପିଲାଙ୍କୁ ଏକ ଘରେ ରଖି ମହିଳା ଜଣଙ୍କୁ ଅନ୍ୟ ସ୍ଥାନକୁ ନେଇଯାଇଥିଲା ଅଭିଯୁକ୍ତ ଦୀପୁ । ସେଠାରେ ଦୁଇଦିନ ଧରି ନିର୍ଯାତନା ଦେଇଥିଲା ଏବଂ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲା । ମହିଳା ଜଣଙ୍କ ନମାନିବାରୁ ପିଲା ଦୁଇଜଣଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । କୌଶଳ କ୍ରମେ ମହିଳା ଜଣଙ୍କ ଦୁଇ ପିଲାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଟ୍ରେନରେ ଭୁବନେଶ୍ୱର ପଳାଇ ଆସିଛନ୍ତି । ଏବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।