କଳିଙ୍ଗନଗର ଡବଲ ମର୍ଡର: ସେୟାର ବଜାରରେ କ୍ଷତି ହତ୍ୟାର କାରଣ କି ?

1 min read
Double Murder In Bhubaneswar Kalinga Nagar

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି ସୁମନ୍ତ । ସେ ଆହୁରି କହିଛନ୍ତି. ‘ଦେଢ଼ ବର୍ଷ ତଳେ ୩ ଲକ୍ଷ ଟଙ୍କା ନେଇ ସେୟାର ମାକେର୍ଟରେ ଲଗାଇଥିଲେ । ଅନ୍ୟମାନଙ୍କଠାରୁ ମଧ୍ୟ ଟଙ୍କା ଧାର ନେଇଥିଲେ । ଫନି ବାତ୍ୟା ସମୟରେ ୮୦ ହଜାର ଟଙ୍କା ଡ଼ାଉନ ହୋଇଥିଲା ।’

ସୁମନ୍ତ ଆଗକୁ ଆହୁରି କହିଛନ୍ତି, ‘ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ମନା କରିଥିଲି । ହେଲେ ସେ ମାନି ନଥିଲେ । ଦୁଇଟି ମୋଡ଼ରେ ୨୫ ଓ ୫ ହଜାର ଟଙ୍କା ପଠାଇଥିଲେ । ଭଉଣୀ ଓ ଭଣଜାକୁ ହତ୍ୟା କରିବା ପରେ ମେସେଜ କରି ସୂଚନା ଦେଇଥିଲେ ।’

୨୦୧୦ ମସିହାରେ ଉଭୟଙ୍କ ବାହାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ସେୟାର ବଜାରରେ କ୍ଷତି ହିଁ ହତ୍ୟା ପଛର କାରଣ ହୋଇଥାଇ ପରେ ବୋଲି କହିଛନ୍ତି ସୁମନ୍ତ ।

ଭୁବନେଶ୍ୱର କଳିଙ୍ଗନଗର କେ-୪ ପ୍ଲଟ୍ ନମ୍ବର ୩୩୪ । ଏହିଠି ଶୋଇଥିବା ପତ୍ନୀ ଓ ଛୋଟ ପୁଅର ତଣ୍ଟି ଚିପି ସବୁଦିନ ପାଇଁ ଶେଷ କରିଦେଲା ସଇତାନ ସ୍ୱାମୀ । ସ୍ତ୍ରୀକୁ ମାରିବା ବେଳେ ହୃଦୟ ତରଳି ନଥିଲା କି ପୁଅର ଗଳା ଚିପିବା ବେଳେ ହାତ ଥରି ନଥିଲା । ସତେ ଯେମିତି ରାକ୍ଷସ ପାଲଟି ଯାଇଥିଲେ ଅବନ୍ତି ।

ତେବେ ହଠାତ କିଛି ଘଟାଇ ନଥିଲା । ହତ୍ୟାର ପୂରା ପ୍ଲାନ୍ ୩ ଦିନ ଆଗରୁ କରିଥିଲେ ଅବନ୍ତି । ଘଟଣା ଦିନ ପତ୍ନୀ ସ୍ୱର୍ଣ୍ଣଲତା ଓ ପୁଅର ଖାଇବାରେ କିଛି ଔଷଧ ମିଶାଇ ଥିଲେ । ଖାଇବା ପରେ ସେମାନେ ନିଘୋଡ଼ ଦିନରେ ଶୋଇ ଯାଇଥିଲେ । ଏହାପରେ ସଇତାନ ସ୍ୱାମୀ ସ୍ୱର୍ଣ୍ଣଲତାଙ୍କ ଓଢ଼ଣୀରେ ସେମାନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ଆତ୍ମହତ୍ୟା କରିବାକୁ ଯୋଜନାରେ ଥିଲେ । ଏଥିପାଇଁ ଚେଷ୍ଟା ବି କରିଥିଲେ । ହେଲେ ସଫଳ ନହେବାରୁ ଫେରାର ହୋଇଯାଇଥିଲେ । ଆଉ ହତ୍ୟା ସମ୍ପର୍କରେ ସୁମନ୍ତଙ୍କୁ ମେସେଜ କରି ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅବନ୍ତିଙ୍କୁ ଗିରଫ କରି ତମାଣ୍ଡୋ ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ ।

ଖୋର୍ଦ୍ଧା ରାଇପୁରର ଅବନ୍ତି, ଏୟାରଫିଲ୍ଡ ଥାନା ଅଧୀନ ଓରକଲ ଗାଁର ୨୦୧୦ରେ ସ୍ୱର୍ଣ୍ଣଲତାଙ୍କୁ କରିଥିଲେ ବିବାହ । ତାଙ୍କର ଏକ ୧୦ ବର୍ଷର ପୁଅ ଥିଲା । ଘର ସଂସାର ଠିକାଠାକ ଚାଲୁଥିବା ବେଳେ ଏଭଳି ନିଷ୍ପତ୍ତି ନେବାର କାରଣ କ’ଣ ? ପ୍ରକୃତରେ ସେୟାର ବଜାରରେ କ୍ଷତି ହତ୍ୟାର କାରଣ କି ? ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ, ଅଧିକ ତଦନ୍ତ ପରେ ଜଣା ପଡିବ ।

Leave a Reply