ନୁପୁରଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଟେଲରଙ୍କୁ ହତ୍ୟା

1 min read

ଉଦୟପୁର: ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଜଘନ୍ୟ ହତ୍ୟା  । ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି ଏହି ଅଭାବବନୀୟ ଘଟଣା  ।  ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ହତ୍ୟା କରାଯାଇଛି । ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ  ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି  । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ।

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର୍ସ ନାଁରେ ଦୋକାନ ରହିଛି  । ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ୩୦ ମିନିଟରେ ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସିଥିଲେ  । ମାପ ଦେବା ବାହାନା କରି ଦୋକାନରେ ପସିଥିଲେ  । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ  । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା  । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ  । ସୂଚନା ମିଳିବା ପରେ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା  । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି  । ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି  ।

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ  । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୁର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ  । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା  । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁନଥିଲେ  । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇନଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି  ।

ଅନେକ ସ୍ଥାନରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଆନ୍ଦୋଳନ ସହ ରାସ୍ତାରୋକ କରାଯାଉଛି  । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିନେହବ ସେଥିପାଇଁ ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି  । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୁର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ  ।  ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା  । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା  ।