ଛେପ ପକାକୁ ନେଇ ବଢ଼ିଲା ଏମିତି ବିବାଦ ଯେ ହତ୍ୟା କରିବାକୁ ପଛାଇଲେନି ଯୁବକ

1 min read

ନୂଆଦିଲ୍ଲୀ- ଦିଲ୍ଲୀର ମନ୍ଦିର ମାର୍ଗ ଅଞ୍ଚଳରେ ଛେପ ପକାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ସାମ୍ନାରେ ଛେପ ପକାଇଦେଲେ ଯାହା କାରଣରୁ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏହି ବିବାଦରେ ଦୁହେଁ ଦୁହିଁଙ୍କୁ ବୋତଲରେ ଆକ୍ରମଣ କରିବାକୁ ଲାଗିଲେ ଯେଉଁଥିରେ ଅଙ୍କିତ ନାମକ ଏକ ଯୁବକର ମୃତ୍ୟୁ ହୋଇଛି ।

ଦିଲ୍ଲୀ ପୋଲିସ ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୮ଟା ୩୦ରେ ସହିଦ ଭଗତ ସିଂହ କମ୍ପ୍ଲେକ୍ସରେ ଦୁଇ ଯୁବକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ତଦନ୍ତ ପରେ ଜଣା ପଡ଼ିଲା ଯେ, ଅଙ୍କିତ ଏବଂ ପ୍ରବୀଣ ନାମକ ଦୁଇ ଯୁବକ ପରସ୍ପର ସହ ଝଗଡ଼ା କରୁଥିଲେ ।

ଝଗଡ଼ାରେ ଉଭୟ କ୍ଷତ ବିକ୍ଷତ ମଧ୍ୟ ହୋଇଥିଲେ । ଦୁହିଁଙ୍କୁ ରାମ ମନୋଗର ଲୋହିୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ଛେପ ପକାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହି ବିବାଦ ହତ୍ୟା ଯାଏଁ ପହଁଞ୍ଚିଯାଇଥିଲା ।

ପ୍ରବୀଣ ଜଣେ ନେଟୱର୍କ ଇଞ୍ଜିନିୟର, ଅନ୍ୟପଟେ ଅଙ୍କିତ ପେଶାରେ ଜଣେ ଡ୍ରାଇଭର । ଝଗଡ଼ାରେ ଦୁହେଁ ଆହତ ହୋଇଥିଲେ କିନ୍ତୁ ଅଙ୍କିତ ଅଧିକ ଗୁରୁତର ହୋଇପଡ଼ିଥିଲେ । ଆହତ ହେବା ପରେ ଅଧିକ ରକ୍ତ ବୋହିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ଅଭିଯୁକ୍ତ ପ୍ରବୀଣଙ୍କୁ ପୋଲିସ ଗିରଫ କରିଛି ଏବଂ ଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରିଛି ।

ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ସାର୍ବଜନୀନ ସ୍ଥାନରେ ପରିସ୍ରା ଏବଂ ଛେପ ପକାଇବାକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ଯଦି କେହି ବ୍ୟକ୍ତି ସାର୍ବଜନୀନ ସ୍ଥାନରେ ପରିସ୍ରା କିମ୍ବା ଛେପ ପକାଏ ତେବେ ତାକୁ ଦଣ୍ଡ ସ୍ୱରୂପ ୧୦୦୦ ଟଙ୍କା ଏନଡିଏମସିକୁ ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି ।

 

Leave a Reply