ନିଜ ଘରକୁ ଫେରିଯିବ ସୁନ୍ଦରୀ, ଆରମ୍ଭ ହୋଇସାରିଛି ପ୍ରକ୍ରିୟା…

1 min read

ଭୁବନେଶ୍ୱର: ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ଫେରି ପାରେ ସୁନ୍ଦରୀ । ମଣିଷ ଖିଆ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ବାଟରେ କଣ୍ଟା ସାଜିଥିଲା ଲକଡାଉନ୍ । ବର୍ଷେରୁ ଅଧିକ ସମୟ ଧରି ଯନ୍ତାରେ ଥିବା ସୁନ୍ଦରୀ ପାଇଁ ଅଗଷ୍ଟ ମାସ ଶେଷ ଆଡ଼କୁ ମଧ୍ୟପ୍ରଦେଶ ସରକାର ଫେରାଇବା ପ୍ରକ୍ରିୟା ଆରମ୍ଭ କରିବା ନେଇ ଓଡ଼ିଶା ବନ୍ୟ ବିଭାଗ ଆଶା ରଖିଛି । ବାଘ ବଂଶ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ସୁନାବେଡ଼ା ଓ ସାତକୋଶିଆ ଅଭୟାରଣ୍ୟକୁ ବାହାର ରାଜ୍ୟରୁ ବାଘ ଆଣାଯିବ । ସେପଟେ ସଂକ୍ରମଣ ସ୍ଥିତି ଦେଖି ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ।

ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସାତକୋଶିଆ ଅଭୟାରଣ୍ୟରେ ଥିବା ମହାବୀର ବାଘ ପାଖକୁ ମଧ୍ୟପ୍ରଦେଶର ସୁନ୍ଦରୀ ବାଘୁଣୀକୁ ପଠାଗଲା । ବାଘ ବଂଶ ତ ବଢିଲାନି, ମଣିଷ ଜାତି ଲୋପ ପାଇବାରେ ଲାଗିଲା । ମଣିଷ ଖିଆ ପାଲଟିଲା ସୁନ୍ଦରୀ । ଆଠମଲ୍ଲିକ ଲୋକଙ୍କ ବିରୋଧ ଯୋଗୁ ଯନ୍ତାରେ ଏହି ମହାବଳ ବାଘୁଣୀକୁ ରଖାଗଲା । ଏହା ଭିତରେ ମହାବୀରର ମୃତ୍ୟୁ ଘଟିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସୁନ୍ଦରୀକୁ ମଧ୍ୟ ପ୍ରଦେଶକୁ ଫେରାଇବା ନିର୍ଦ୍ଦେଶ ଦେଲେ । ମାର୍ଚ୍ଚରେ ମଧ୍ୟପ୍ରଦେଶରୁ ବନ୍ୟ ବିଭାଗ ଟିମ୍ ଆସି ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ହେଲେ ଲକଡାଉନ ହେବାରୁ ସୁନ୍ଦରୀକୁ ନେଇ ପାରିନଥିଲେ । ତେବେ ଲକଡାଉନ ନିୟମ କୋହଳ ହୋଇଥିବାରୁ ସୁନ୍ଦରୀ ସ୍ଥାନାନ୍ତର ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ପୁଣି ଆରମ୍ଭ ହେବ । ଅନ୍ୟପଟେ ଦୀର୍ଘ ଦିନରୁ ଜନ୍ତାରେ ଥିବା ମହାବଳକୁ ହଠାତ୍ ଜଙ୍ଗଲରେ ଛାଡ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

ସୁନ୍ଦରୀ ସ୍ଥାନାନ୍ତର ପରେ ନନ୍ଦନକାନନ ଖୋଲିବା ଦିଗରେ ବିଚାର କରିବେ ରାଜ୍ୟ ସରକାର । ଅକ୍ଟୋବର ମାସରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସେହି ମାସ ନନ୍ଦନକାନନ ଖୋଲିବାକୁ ଚିନ୍ତା କରୁଛି ବିନ ବିଭାଗ । ହେଲେ କୋଭିଡ ଯୋଗୁଁ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ବୁଲିବାର ଅନୁମତି ମିଳିବ, ସେ ଦିଗରେ ଆଲୋଚନା ହେବ ।

ସେପଟେ ସୁନ୍ଦରଗଡ଼ ଟ୍ରେନ୍‌ ଲାଇନରୁ ଖଣ୍ଡବିଖଣ୍ଡିତ କଲରାପତରିଆ ବାଘର ମୃତଦେହ ମିଳିଥିବାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ୍‌ର ତଥ୍ୟ ରେଳ ବିଭାଗକୁ ମଗାଯାଇଛି । ହେଲେ ବାଘକୁ ଜାଣିଶୁଣି ହତ୍ୟା କରିଥିବା ଘଟଣାକୁ ଖଣ୍ଡନ କରାଯାଇଛି ।

https://www.youtube.com/watch?v=YPXAI-MD-Lw

(ରିପୋର୍ଟର-ପ୍ରିୟ ପ୍ରୀତମ)

Leave a Reply