କ୍ରେଡିଟ୍ କାର୍ଡର ରିୱାର୍ଡରେ ଜଣେ ବ୍ୟକ୍ତି ଜିତିଲେ ନଗଦ ୨ କୋଟି ଟଙ୍କା , ଜାଣନ୍ତୁ କେମିତି

1 min read

ୱାସିଂଟନ: କ୍ରେଡିଟ୍ କାର୍ଡ ସାହାଯ୍ୟରେ ଜଣେ ବ୍ୟକ୍ତି ୨କୋଟି ଟଙ୍କାରୁ ଅଧିକ ଟଙ୍କା ରିୱାର୍ଡ ପାଇପାରିଛନ୍ତି । ଆଉ ତାଙ୍କରି ଏହି ରିୱାର୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନେକ ଥର ଯେତେବେଳେ ଆମେ ଅନଲାଇନରେ ଦେୟ ଦେଇଥାଉ କିମ୍ବା କ୍ରେଡିଟ୍-ଡେବିଟ୍ କାର୍ଡ ସାହାଯ୍ୟରେ ଦେୟ ଦେଇଥାଉ । ଏହାର ପ୍ରତିବଦଳରେ ଆମକୁ ପୁରସ୍କାର ବା ରିୱାର୍ଡ ମିଳିଥାଏ । ଏହି ରିୱାର୍ଡସ ବେଳେବେଳେ ପଏଣ୍ଟ ଆକାରରେ କିମ୍ବା କ୍ୟାସବ୍ୟାକ୍ ଆକାରରେ ମିଳିଥାଏ । ଲୋକମାନେ ସାଧାରଣତଃ ରିୱାର୍ଡ ମାଧ୍ୟମରେ କିଛି ଟଙ୍କା ରୋଜଗାର କରି ଖୁସି ହୋଇଥାନ୍ତି । କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି କ୍ରେଡିଟ୍ କାର୍ଡର ରିୱାର୍ଡ ମାଧ୍ୟମରେ ୨ କୋଟି ୧୭ ଲକ୍ଷ ଟଙ୍କା ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ।
ସୂଚନା ଅନୁଯାୟୀ, କୋଷ୍ଟାଟିନ୍ ଅନିକେବ ନାମକ ଜଣେ ବ୍ୟକ୍ତି ତାଙ୍କ କ୍ରେଡିଟ୍ କାର୍ଡରୁ ବହୁ ସଂଖ୍ୟକ ଗିଫ୍ଟ କାର୍ଡ କିଣିବା ଆରମ୍ଭ କରିଥିଲେ। କ୍ରେଡିଟ୍ କାର୍ଡର ଦୈନିକ ସୀମା ଅନୁଯାୟୀ ଅନିକେବ ପ୍ରଥମେ ଏକ ଉପହାର କାର୍ଡ କିଣି ତା’ପରେ ତାକୁ ନଗଦ ଟଙ୍କାରେ ପରିଣତ କରାଉଥିଲେ । ଏହାପରେ ସେ ସେହି ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରି କ୍ରେଡିଟ୍ କାର୍ଡର ବିଲ୍ ଭରୁଥିଲେ । ଏହାମାଧ୍ୟମରେ ଯାହା ରିୱାର୍ଡ ମିଳିଥାଏ ତାହା ତାଙ୍କ ରୋଜଗାର ହେଉଥିଲା ।
ଅନିକେବ ପାଖରେ ଯେଉଁ ଆମେରିକୀୟ ଏକ୍ସପ୍ରେସ କ୍ରେଡିଟ କାର୍ଡ ଥିଲା, ସେହି କାର୍ଡ ମାଧ୍ୟମରେ ଗ୍ରୋସରୀ ଷ୍ଟୋର୍ କିମ୍ବା ଫାର୍ମାସିରେ କିଣାକିଣି କରିବା ଦ୍ୱାରା ୫ ପ୍ରତିଶତ ଅସୀମିତ ରିୱାର୍ଡ ମିଳୁଥିଲା । ଏହି କାରଣରୁ, ଅନିକେବ ଗ୍ରୋସରୀ ଦୋକାନକୁ ଯାଇ ସେଠାରେ ପ୍ରିପେଡ୍ ଭିସା ଗିଫ୍ଟ କାର୍ଡ କିଣୁଥିଲେ । ଗ୍ରୋସରୀ ଦୋକାନରେ ଗିଫ୍ଟ କାର୍ଡ କିଣିବା ପାଇଁ ଦୈନିକ ସୀମା ରହୁଥିଲା । ସେଥିପାଇଁ ଅନିକେବ ପ୍ରାୟତଃ ଗ୍ରୋସରୀ ଦୋକାନକୁ ଯାଉଥିଲେ । ଅନିକେବ କେବଳ ସେହି ଗିଫ୍ଟ କାର୍ଡ କିମ୍ବା ମନି ଅର୍ଡର କାର୍ଡ କିଣୁଥିଲେ ଯେଉଁଥିରେ ପ୍ରୋଶେସିଂ ଶୁଳ୍କ କମ୍ ରହୁଥିଲା ।
୫୦୦ ଡଲାର ଗିଫ୍ଟ କାର୍ଡ କିଣିବା ଉପରେ ତାଙ୍କୁ ୫ ପ୍ରତିଶତ ହାରରେ ୨୫ ଡଲାର ରିୱାର୍ଡ ମିଳୁଥିଲା । ଗିଫ୍ଟ କାର୍ଡର ଫି ଏବଂ ଏହାକୁ ନଗଦ ଆକାରରେ ପରିଣତ କରିବାକୁ ତାଙ୍କୁ ୬ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା । ଏହି ହିସାବରେ ତାଙ୍କୁ ୧୯ ଡଲାରର ଲାଭ ହେଉଥିଲା । ରିପୋର୍ଟ ଅନୁଯାୟୀ, ଏମିତି କରି କରି ଅନିକେବ ତିନି ଲକ୍ଷ ଡଲାର (ପ୍ରାୟ ଦୁଇ କୋଟି ସତର ଲକ୍ଷ ଟଙ୍କା) ରୋଜଗାର କରିଦେଇଥିଲେ। ଏହାପରେ ଆମେରିକାର ଟିକସ ବିଭାଗର ବ୍ୟବସ୍ଥା ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଥିଲା । ଏବଂ ଆୟକର ବିଭାଗ ଏ ସମ୍ପର୍କରେ ଖବର ପାଇ ତାଙ୍କୁ ନୋଟିସ ପଠାଇ ଦେଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଅନିକେବ ଛାତ୍ର ଜୀବନରୁ କ୍ରେଡିଟ କାର୍ଡରୁ ରୋଜଗାର କରିବାକୁ ଆଗ୍ରହୀ ଥିଲେ। ସେ ୨୦୦୯ରୁ ଏହା କରିଆସୁଥିଲେ। ପରେ ସେ ଅଧିକ ସପିଂ କରିବା ଆରମ୍ଭ କରିଥିଲେ ।

Leave a Reply