ନନ୍ଦିଘୋଷ ବ୍ୟୁରୋ : ଜୀବନରୁ ମାରି ଦେଇ ଗଛରେ ଝୁଲାଇ ଦେଲେ! ଏପରି ସଂଗୀନ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ। ମୃତକ ହେଲେ କୋଟିଏ କାହାଣିଆ ଗାଁର ମାନସ ବେହେରା। ଗତକାଲି ମାନସ ଭୁବନେଶ୍ୱର ଯାଇଥିଲେ। ହେଲେ ରାତି ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତାଙ୍କ ମୋବାଇଲ ମଧ୍ୟ ସ୍ୱିଚ୍ ଅଫ୍ ଥିଲା। ଏ ନେଇ ରଣପୁର ଥାନାରେ ଏତଲା ଦିଆଯାଇଥିଲା।
ଆଜି ଭାଲିଆ ତଇଲା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକ ଏକ କାଜୁ ଗଛରେ ମାନସଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମାନସଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ କେହି ମାରି ଦେଇ ଗଛରେ ଝୁଲାଇ ଦେଇଛି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି।

