ପରୀକ୍ଷା ହେଲା ପଛ, ଆହତଙ୍କୁ ଡ଼ାକ୍ତରଖାନା ପହଞ୍ଚାଇ ଛାତ୍ର ହେଲେ ସମ୍ମାନିତ

ବାଲେଶ୍ୱର: ମାନବିକତାର ଜ୍ୱଳନ୍ତ ଉଦ୍ଧାହରଣ। ନିଜ ପରୀକ୍ଷାକୁ ଭୁଲି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଛାତ୍ର। ଏଭଳି ମହାନ ଓ ଜନହିତକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ରେମୁଣାର ବରୁଣ କୁମାର ମହାଳିକଙ୍କୁ ତାଙ୍କୁ ସମ୍ମାନିତ ବି କରାଯାଇଛି।

ଘଟଣାଦିନ ବରୁଣ ନିଜ ପିଜି ପରୀକ୍ଷା ପାଇଁ ତରବର ହୋଇ ଲାଇନ୍‌ ଅଟୋ ଧରି ରେମୁଣାରୁ ବାହାରିଥିଲେ । ବାଲେଶ୍ୱର ଫକୀର ମୋହନ ଅଟୋନୋମସ୍‌ କଲେଜ୍‌ରେ ସାଢେ ୧୨ଟାରେ ତାଙ୍କର ବାଣିଜ୍ୟ ବିଭାଗର ଇଣ୍ଟରନାଲ ପିଜି ପାଇଁ ପରୀକ୍ଷା ଥିଲା। ରାସ୍ତାରେ ଯିବାବେଳେ ଭିଡ଼ ଯୋଗୁ ଅଟୋଟି ଅଟକି ଯାଇଥିଲା। ଏହି ସମୟରେ ତାଙ୍କ ଆଗରେ ଜଣେ ବୟସ୍କ ବ୍ୟକ୍ତି ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବରୁଣ ପରୀକ୍ଷା କଥା ଚିନ୍ତା ନକରି ତୁରନ୍ତ ସେହି ଲାଇନ୍‌ ଅଟୋରେ ଆହତ ବୟସ୍କ ବ୍ୟକ୍ତିଙ୍କୁ ଉଠାଇ ବାଲେଶ୍ୱର ମେଡ଼ିକାଲରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରାଇଲେ। ଏହାଭିତରେ ତାଙ୍କ ପରୀକ୍ଷାର ସମୟ ହୋଇଯାଇଥିଲେ ବି ସେ ପ୍ରଥମେ ଆହତ ବ୍ୟକ୍ତିଙ୍କ ବିଷୟରେ ହିଁ ଚିନ୍ତା କରିଥିଲେ। ଏଭଳି ମହାନ କାମ ପାଇଁ ପରିବହନ ବିଭାଗ ତରଫରୁ ଆୟୋଜିତ ଏକ ଉତ୍ସବରେ ବରୁଣଙ୍କୁ ସମ୍ମାନିତ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ପ୍ରମାଣପତ୍ର ସହିତ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ରେମୁଣା ବିଧାୟକ ସୁଧାଶୁଂ ପରିଡ଼ା ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

କେବଳ ଏତିକି ନୁହଁ ଏହି ଅବସରରେ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ତରଫରୁ ଦୂର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମେଡ଼ିକାଲ ପହଞ୍ଚାଇଲେ ଆର୍ଥୀକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଅଜଣା ଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କୁ ମଧ୍ୟ ୨ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଯୋଗାଇ ଦିଆଯାଇ ପାରିବାର ଯୋଜନା ମଧ୍ୟ ରହିଛି। କିନ୍ତୁ ମୃତ୍ୟୁର ୬ମାସ ମଧ୍ୟରେ ଜିଲ୍ଲା ପରିବହନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ହିଁ ହିତାଧିକାରୀ ଏହାର ସୁବିଧା ନେଇ ପାରିବେ। ସଡ଼କ ସୂରକ୍ଷା କମିଟର ବୈଠକରେ ଚାଳକଙ୍କୁ ସଚେତନ କରାଯିବା ସହିତ ଏହିଭଳି ଜନହିତକର ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

Leave a Reply