ଯନ୍ତାରେ ପଡ଼ିଲା ବାଘ, ମଣିଷ ରକ୍ତ ଚାଖିବା ପରେ ଖେଳାଇଥିଲା ଆତଙ୍କ

ନୂଆପଡ଼ା: ଶେଷରେ କାବୁ ହେଲା ମଣିଷ ଖିଆ ବାଘ । ମଣିଷ ରକ୍ତ ଚାଖିବା ପରେ ନୂଆପଡ଼ା ଅଞ୍ଚଳରେ ମଚାଇଥିଲା ଆତଙ୍କ । ଗାଁ ମୁଣ୍ଡରେ ବୁଲୁଥିଲା ତ କାହାକୁ ଆକ୍ରମଣ କରୁଥିଲା । ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ । ଶେଷରେ କଲରାପତରିଆ ବାଘକୁ ଯନ୍ତାରେ ପୂରାଇବାକୁ ସକ୍ଷମ ହୋଇଛି ବନ ବିଭାଗ ।

ଗତକାଲି ସିଲିଆରି ବହାରା ଗାଁର ଜଣେ ମହିଳାଙ୍କୁ ଟାଣି ନେଇ ଖାଇ ଦେଇଥିଲା ବାଘ । ପରେ ସନ୍ଧ୍ୟାରେ କୋଦୋପାଲି ଗାଁରେ ପଶି ଜଣେ ଶିଶୁକୁ ଆକ୍ରମଣ କରିଥିଲା । ସୌଭାଗ୍ୟରୁ କଲରାପତରିଆ ପଞ୍ଝାରୁ ଅଳ୍ପକେ ବର୍ତ୍ତ ଯାଇଥିଲା ୮ ବର୍ଷର ବାଳକ । ଗାଁରେ ବାଘଟି ବୁଲି ବୁଲି ଆତଙ୍କ ଖେଳାଉଥିବା ବେଳେ ଭୟଭୀତ ହୋଇପଡିଥିଲେ ଲୋକେ ।

ବାଘ ଯନ୍ତାରେ ପଡ଼ିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ଲୋକେ । ବାଘକୁ ମାରିବାକୁ ଚେଷ୍ଟା କରିଥିଲେ ଉତ୍ତ୍ୟକ୍ତ ଲୋକେ । ବନ ବିଭାଗ ଟିମ୍ ବାଘର ସୁରକ୍ଷା ନେଇ ଲୋକଙ୍କୁ ବୁଝାଇଥିଲେ । ଏବେ ବାଘଟିକୁ ନୂଆପଡା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି ।