ସ୍ୱାମୀ ଗୋଟିଏ, ସ୍ତ୍ରୀ ତିନୋଟି: ଫୁଲ କହୁଛି ମାଳି କାହାର ?
ଭୁବନେଶ୍ୱର: ବଗିଚା ଗୋଟିଏ । ମାଳି ବି ଗୋଟିଏ । କିନ୍ତୁ ଫୁଲ ଫୁଟିଛି ତିନୋଟି । ଏମିତିକି ରୂପ ବଦାଳଉଥିଲେ ଏହି ମାଳି ମହାଶୟ । ଭ୍ରମର ରୂପରେ ବୁଲୁଥିଲେ । ମଧୁ ଶୋଷି ଉଡ଼ିଯାଉଥିଲେ । କେତେବେଳେ ସପନ ଦେଖାଇ ସାଥି କରୁଥିଲେ । ପୁଣି କେତେବେଳେ ପ୍ରେମର ପୋଖରୀରେ ସ୍ନାନ କରୁଥିଲେ । ଗୋଟିଏ ପତ୍ନୀରେ ବୁଝୁନଥିଲା ଆଲୋକ ବାବୁଙ୍କ ମନ । ଡ଼ାଏରୀରେ ଥିଲା ସୁନ୍ଦରୀ ଯୁବତୀଙ୍କ ଲିଷ୍ଟ । ପ୍ରେମ କଳାରେ ପୋଖତ ଏହି ରସିକ ନାଗର ଆଖିର ଇସାରାରେ ହିଁ ସୁନ୍ଦରୀ ଯୁବତୀଙ୍କ ହୃଦୟରେ କରୁଥିଲେ ଦସ୍ତଖସ୍ତ । ସମୟ ଦେଉଥିଲେ, ରାତି ସାରା ଗପୁଥିଲେ । ଟଙ୍କା ଝଡ଼ାଉଥିଲେ, ନୂଆ ଗାଡ଼ି କିଣୁଥିଲେ । ଆଉ ମନି ସରିଲା ପରେ ମନ ଫେରାଉ ଥିଲେ ।
କଥାଟି ଶୁଣିଲା ପରେ ହଡବଡ଼ ହେଇଯାଉଥିବେ । କଳାକୃଷ୍ଣଙ୍କ ପରିଚୟ ଖୋଜୁଥିବେ । ଡେରି ନକରି ଜଣାଉଛୁ । ରସିକ ନାଗର ଜଣଙ୍କ ଭୁବନେଶ୍ୱରର । ଡ୍ରାଇଭର ଭାବେ କାମ କରୁଥିବା ଆଲୋକ ଜେନା । ନାଁଟା ଯେମିତି କାମଟା ବି ସେମିତି । ଏବେ ଶୁଣିବା ଆଲୋକ ବାବୁଙ୍କ ଅଲେଖା କାହାଣୀ । ରାଜଧାନୀରେ ଗାଡ଼ି ଚଳାଉଥିବା ଆଲୋକ ଜେନାଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗକାରୀ ଜଣେ ନୁହଁନ୍ତି । ଦୁଇ ଜଣ । ପୁଣି ଉଭୟେ ମହିଳା । ଅଭିଯୋଗ ହେଉଛି ବାବୁ ଜଣଙ୍କ ଜଣେ ପରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପତ୍ନୀର ସ୍ୱୀକୃତି ଦେଇ ଘରେ ରଖୁଥିଲେ । କିନ୍ତୁ ଯେବେ ଟଙ୍କା ସରୁଥିଲା ଆଲୋକ ଅନ୍ଧାର ଭିତରେ ଲୁଚି ଯାଉଥିଲେ ।
ପୂର୍ବରୁ ଦୁଇ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ଏବେ ଆଉ ଜଣଙ୍କ ସହ ରହୁଥିଲେ ଅଲୋକ ଜେନା । ଭଉଣୀ ଘରେ ଜମହିଳାଙ୍କ ସହ ରହୁଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନ୍ୟ ଦୁଇ ମହିଳା । ୧୪ ବର୍ଷ ତଳେ ଜଣେ ମହିଳାଙ୍କୁ ବିବାହ କରିଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ନେଇ ୫ ବର୍ଷ ହେବ ସାଲିଆ ସାହିରେ ରହୁଥିଲେ । ସେପଟେ ଏବେ ଉଭୟଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ନେଇ ରହୁଥିଲେ ଭଉଣୀ ଘରେ । ସେପଟେ ପୋଲିସ ଅଭିଯୋଗକୁ ନେଇ ତଦନ୍ତ ଚଳାଇଥିବାବେଳେ ପ୍ରେମିକ ପ୍ରବର ଆଲୋକ ଜେନାକୁ ଅଟକ ରଖିଛି ।