ସାପକୁ ଡବାରେ ଧରି ମେଡିକାଲରେ ପହଞ୍ଚିଲେ ୬୦ ବର୍ଷୀୟା ବୃଦ୍ଧା, ଜାଣନ୍ତୁ କାହିଁକି?

ମହାକାଳପଡ଼ା: ବିଷଧର ସାପକୁ ଡବାରେ ଧରି ଡାକ୍ତରଖାନାରେ ପହଞ୍ଚିଲେ ୬୦ ବର୍ଷୀୟା ବୃଦ୍ଧା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣି ମାଠିଆ ଗାଁର କଳ୍ପନା ନାୟକ ରାତିରେ ଘରର ବାରିପଟକୁ ଶୌଚ ପାଇଁ ଯାଉଥିବା ବେଳେ ଏକ ବିଷାକ୍ତ ସାପ ଉପରେ ତାଙ୍କ ଗୋଡ଼ ପଡ଼ିଯାଇଥିଲା । ଯାହାପରେ କଳ୍ପନାଙ୍କୁ କାମୁଡ଼ି ଦେଇଥିଲା ବିଷାକ୍ତ ସାପ ।
କଳ୍ପନା ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ସାପ କାମୁଡ଼ିଥିବା ଗୋଡ଼ର ଉପର ଅଂଶକୁ ଏକ ଲୁଗାଧଡ଼ିରେ ଭିଡ଼ିକରି ବାନ୍ଧି ଦେଇଥିଲେ। ପରେ ସାପକୁ ଧରି ଏକ ଡବାରେ ପୂରାଇ ଥିଲେ। ପରିବାର ଲୋକ ଜାଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଳ୍ପନା ଏବଂ ଡବାରେ ଥିବା ସାପକୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ କଳ୍ପନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ କଳ୍ପନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ପ୍ରଶଂସା କରାଯାଇଛି ।