୨୦ ଟଙ୍କା ପାଇଁ ପୁଅ ସାମ୍ନାରେ ବାପାକୁ ପିଟି ପିଟି ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ: ୨୦ ଟଙ୍କା ପାଇଁ କିଏ କାହା ଜୀବନ ନେଇ ପାରେ ଏହା ଶୁଣିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ । ହେଲେ ରାଜଧାନୀ ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାତ୍ର ୨୦ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଘଟଣାଟି ଦିଲ୍ଲୀର ବୁରାଡ଼ି ଅଞ୍ଚଳର । ୨୦ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ୧୩ ବର୍ଷର ପୁଅ ସାମ୍ନାରେ ବାଡିରେ ପିଟିପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ । କୌଣସି କାରଣ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା । ପରେ ଜଣା ପଡ଼ିଥିଲା ଯେ, ୨୦ ଟଙ୍କା ନେଇ ସେମାନେ ଝଗଡ଼ା ଲାଗିଥିଲେ । ପରବର୍ତ୍ତୀ ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ମୃତକ ହେଉଛି ୩୮ ବର୍ଷୀୟ ରୂପେଶ ସନ୍ତ। ଗତକାଲି ରୂପେଶ ତାଙ୍କ ଘର ନିକଟରେ ଥିବା ସେଲୁନକୁ ବାଳ କାଟିବାକୁ ଯାଇଥିଲେ । ଦୋକାନ ମାଲିକ ସାନ୍ତୋଶ ଏବଂ ସରୋଜ ରୂପେଶଙ୍କୁ ୫୦ ଟଙ୍କା ମାଗିଥିଲେ । କିନ୍ତୁ ରୂପେଶ ମାତ୍ର ୨୦ ଟଙ୍କା ଦେଇ ବାକି ଟଙ୍କା ପରେ ଦେବେ ବୋଲି କହିଥିଲେ । ୩୦ ଟଙ୍କା ପରେ ଦେବେ ବୋଲି କହିବା ପରେ ରୂପେଶଙ୍କୁ ସେଠାରେ ପିଟିବା ଆରମ୍ଭ କରିଦେଇଥିଲେ ସାନ୍ତୋଶ ଏବଂ ସରୋଜ । ଘଟଣାସ୍ଥଳରେ ରୂପେଶଙ୍କ ପୁଅ ମଧ୍ୟ ପହଞ୍ଚିଥିଲେ । ସେ ତାଙ୍କ ବାପାଙ୍କୁ ମାଡ଼ ଖାଉଥିବା ଦେଖି ସେଠାରେ ମାରପିଟ୍ ବନ୍ଦ କରିବାକୁ ବହୁତ ଚେଷ୍ଟା କରିଥିଲେ । ସେ ନିଜ ବାପାଙ୍କୁ ରକ୍ଷା କରିବାକୁ ଚାହୁଁଥିଲେ, ହେଲେ ସେଠାରେ ଉତ୍ତେଜନା ଧିରେ ଧିରେ ବଢିବାରେ ଲାଗିଥିଲା । ପରେ ରୂପେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ନେଇ ଘୋଷଣା କରିଥିଲେ ।

Leave a Reply