ଏକ ତରଫା ପ୍ରେମର କରୁଣ ପରିଣତି, ମା’-ପୁଅର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା

ଗଞ୍ଜାମ: ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମିକାର ତଣ୍ଟି କାଟିବା ସହ ନିଜ ତଣ୍ଟି ମଧ୍ୟ କାଟିଲା ପାଗଳ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରି ଗ୍ରାମରେ । ପାଗଳ ପ୍ରେମିକର ଏଭଳି କାଣ୍ଡ ଦେଖି ଗାଁ ଲୋକ ଧରି ନିର୍ଧୁମ୍‌ ଛେଚିଲେ । ପରେ ପୋଲିସ ଜିମା ଦେଲେ ।

ସୂଚନାଯୋଗ୍ୟ, ବାଣପୁର ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗ୍ରାମର ରୂପ ନାରାୟଣ ଦଳବେହେରା ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ଉକ୍ତ ମହିଳା ଜଣକ ହେଉଛନ୍ତି ବିବାହିତା ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ବେଳେ ପୁରା ପରିବାର ସେଠାରେ ରହୁଥିଲେ । ଆଉ ସେହି ସମୟରେ ରୂପ ନାମକ ବ୍ୟକ୍ତି ଜଣଙ୍କର ମହିଳାଙ୍କ ପରିବାର ସହ ଘନିଷ୍ଠତା ବଢ଼ିଥିଲା । ପରେ ରୂପ ମହିଳାଙ୍କୁ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲା । ତେବେ କିଛି ଦିନ ପରେ ମହିଳାଙ୍କ ସ୍ୱାମୀ ସୁଶାନ୍ତ, ପୁରା ପରିବାରକୁ ନେଇ ଝୋଲରି ଗାଁକୁ ଚାଲି ଆସିଥିଲେ । ହେଲେ ପାଗଳ ପ୍ରେମୀ ରୂପ ମହିଳାଙ୍କ ସହ ଫୋନ୍‌ରେ ବେଳେ ବେଳେ କଥା ହେଉଥିଲା । କିନ୍ତୁ ହଠାତ୍‌ ଦୁଇ ମାସ ହେବ ମହିଳା ଜଣଙ୍କ ରୂପର ଫୋନ୍‌ ଉଠାଇନଥିଲେ ।

ଏହି ଫୋନ୍‌ ନଉଠାଇବା କାରଣରୁ ରୂପ ଅତ୍ୟନ୍ତ ରାଗିଯାଇ ବାଇକ୍ ଯୋଗେ ଝୋଲରି ଗାଁରେ ମହିଳାଙ୍କ ଘରେ ପହଞ୍ଚିଥିଲା । ଆଉ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଉକ୍ତ ମହିଳା ଓ ତାଙ୍କ ପୁଅର ତଣ୍ଟି କାଟି ଦେଇଥିଲା । ଏହାପରେ ରୂପ ନିଜେ ମଧ୍ୟ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ମହିଳାଙ୍କ ଘରେ ରୁଣ୍ଡ ହୋଇଥିଲେ । ଆଉ ପାଗଳ ପ୍ରେମୀ ରୂପକୁ କାବୁ କରି ନିସ୍ତୁକ୍‌ ମାଡ଼ ମାରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୂପକୁ ପ୍ରଥମେ ମେଡିକାଲ ଓ ପରେ ଥାନାରେ ଅଟକ ରଖିଛି । ସେହିଭଳି ଉକ୍ତ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ବୁଗୁଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

Leave a Reply