ରାଜ ପରିବାରର କହି ହୋଟେଲକୁ ୨୩ ଲକ୍ଷର ଲଗାଇଲେ ଚୂନା!

ନୂଆଦିଲ୍ଲୀ: ଆବୁଧାବିର ରାଜ ପରିବାରର କର୍ମଚାରୀ କହି ଜଣେ ବ୍ୟକ୍ତି ପଞ୍ଚ ତାରକା ହେଟେଲକୁ ଚୂନା ଲଗାଇଛନ୍ତି । ରାଜ ପରିବାରର ପରିଚୟ ଦେଇ ସେ ହୋଟେଲରେ ୪ ମାସ ରହିଥିଲେ । ତାଙ୍କ ନାଁରେ ହୋଇଥିଲା ୨୩ ଲକ୍ଷ ଟଙ୍କାର ବିଲ୍ । ହେଲେ ବ୍ୟକ୍ତ ଜଣଙ୍କ ବିଲ ନଦେଇ ଫେରାର୍ ହୋଇଯାଇଛନ୍ତି ।

ଦିଲ୍ଲୀ ଲିଲା ପ୍ୟାଲେସ ଏ ନେଇ ପୋଲିସରେ ଅଭିଯୋଗ କରିଛି । ଫେରାର୍ ଥିବା ମହମ୍ମଦ ଶରିଫଙ୍କ ନାଁରେ ଠକେଇ ଏବଂ ଚୋରି ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ମହମ୍ମଦ ଶରିଫ ଅଗଷ୍ଟ ୧ ତାରିଖରୁ ନଭେମ୍ବର ୨୦ ଯାଏ ହୋଟେଲରେ ରହୁଥିଲେ । ତାଙ୍କ ରୁମ୍ ନଂ ଥିଲା ୪୨୭ । ଏତେଦିନ ରହିବା ଭିତରେ ସେ ରୁମର ଅନେକ ଜିନିଷ ଚୋରି ମଧ୍ୟ କରିନେଇଛନ୍ତି ।

ହୋଟେଲରେ ରହିବା ଦିନ ସେ ୟୁଏଇ ନାଗରିକ ବୋଲି ପରିଚୟ ଦେଇଥିଲେ ଏବଂ ଆବୁଧାବି ରାଜ ପରିବାର ଶେଖ ଫଲା ବିନ ଜାୟଦ ଅଲ ନହୟାନଙ୍କ ଅତି ନିଜର ବୋଲି କହିଥିଲେ । ସେ ହୋଟେଲରେ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ବି ଦେଇଥିଲେ ।

ସେତେବେଳେ ତାଙ୍କୁ କେହି ବି ଅବିଶ୍ବାସ କରି ନଥିଲେ । ଦିଲ୍ଲୀ ସେ ବ୍ୟବସାୟୀକ କାମରେ ଆସିଛନ୍ତି ବୋଲି କହି ୪ ମାସ ଧରି ସେଠାରେ ରହୁଥିଲେ । ଏହା ଏବେ ସେ ଫେରାର୍ ହୋଇଯାଇଛନ୍ତି । ଆଉ ହୋଟେଲକୁ ଲଗାଇଛନ୍ତି ୨୩ ଲକ୍ଷର ଚୂନା । ତାଙ୍କ ନାଁରେ ୩୫ ଲକ୍ଷ ଟଙ୍କାର ବିଲ ହୋଇଥିଲା । ସେ ୧୧. ୫ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ବାକି ଟଙ୍କା ନ ଦେଇ ସେଠାରୁ ଖସି ପଳାଇଛନ୍ତି । ଦିଲ୍ଲୀ ପୋଲିସ ଏ ନେଇ ଯାଞ୍ଚ କରୁଛି ।