ପରିବାର ଲୋକଙ୍କୁ ଭେଟିଲେ ମହିଳା କମିଶନ ଟିମ୍: ଦୋଷଙ୍କୁ ଫାଶୀ ଦିଆଯାଉ କହିଲେ ମମିତାଙ୍କ ବାପା

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲା । ଝରଣୀ ଗାଁ ପରେ ମହାଲିଙ୍ଗ ଷ୍ଟାଡିୟମ ଓ ସ୍କୁଲରେ ତଦନ୍ତ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ମିନତିଙ୍କ ସହ ୪ ଜଣିଆ ଟିମ୍‌ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହିତ କଲେଜର ଲେଡିଜ ହଷ୍ଟେଲ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ କଣ୍ଟାବାଞ୍ଜି ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଏ ଅବସରରେ ମମିତାଙ୍କ ବାପା କହିଛନ୍ତି, ତାଙ୍କ ପରିବାର ବଡ଼ ଦୁଃଖ କଷ୍ଟରେ ଅଛନ୍ତି । ଏଣୁ ତାଙ୍କୁ ଆର୍ଥିକ ସୁରକ୍ଷା ସହ ଦୋଷୀଙ୍କୁ କଡ଼ା ଦଣ୍ଡ ସ୍ୱରୂପ ଫାଶୀ ଦାବି ଦେବାକୁ ସେ ଦାବି କରିଛନ୍ତି । ଏନେଇ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ମମିତାଙ୍କ ପରିବାର ଅର୍ଥନୈତିକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ସେହିପରି କଲେଜ କିଭଳି ଠିକଠାକ ଚାଲିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ବୈଠକ ଡାକିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଗତକାଲି ବଲାଙ୍ଗୀର ଏସପିଙ୍କ ସହ ମହିଳା କମିଶନ ଅଧ୍ୟକ୍ଷା ମମିତା ମେହେର ମର୍ଡର ନେଇ ଆଲୋଚନା କରିଥିଲେ । ମୃତକଙ୍କ ପରିବାର କିପରି ନ୍ୟାୟ ପାଇବେ ଓ ଦୋଷୀ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି

Leave a Reply