କଂଗ୍ରେସକୁ PKଙ୍କ କଡ଼ା କଟାକ୍ଷ: ବିଜେପି ବିରୋଧରେ ବିକଳ୍ପ କିଏ ?

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଛି ବିକଳ୍ପ ଲଢେଇ  । ଅର୍ଥାତ କେଉଁ ଦଳ ଏନଡ଼ିଏ ବିରୋଧରେ ବଡ଼ ଶକ୍ତି ହୋଇ ଉଭା ହେବ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି  । ଦୁଇ ଦଳ ମଧ୍ୟରେ ଛକା ଫଞ୍ଝା ଆରମ୍ଭ ହୋଇଛି । ଏହାରି ଭିତରେ ବିକଳ୍ପ ଲଢେଇରେ ଏଣ୍ଟ୍ରି ମାରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ରାଜନୀତିରେ କ୍ଷମତା ଆକଳନ କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତୃତ୍ୱକୁ ସିଧା ଟାର୍ଗେଟ କରିଛନ୍ତି  । ଦେଶରେ କଂଗ୍ରେସ ଦଳ ବିକଳ୍ପ ଭାବେ ଗ୍ରହଣୀୟ ଯୋଗ୍ୟ ହୋଇ ପାରୁନାହିଁ  । ଏହାର କାରଣ କେବଳ ଦଳୀୟ ନେତା  । ଯେଉଁଥିପାଇଁ ବିଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି । ଫଳରେ ବିପକ୍ଷ ଦଳର ଭୁମିକାରେ ମଧ୍ୟ ଆସିବା କଂଗ୍ରେସ ପାଇଁ କଷ୍ଟସାଧ୍ୟ ହୋଇପଡିଥିବା କହିଛନ୍ତି ପିକେ   ।

ଟ୍ୱିଟ କରି ପିକେ କହିଛନ୍ତି, ଦେଶରେ ମଜଭୁତ ନେତୃତ୍ୱ ପାଇଁ କଂଗ୍ରେସ ଯେଉଁ କସରତ ଚଳାଇଛି, ଅର୍ଥାତ ଯେଉଁ ବିଚାରରେ ବିସ୍ତାରିତ ହେବାକୁ ପ୍ରସ୍ତୁତ ହେଉଛି, ତାହା ଅତ୍ୟନ୍ତ କଷ୍ଟସାଧ୍ୟ  । ସେପଟେ ବିଗତ ଦିନରେ କଂଗ୍ରେସର ନିର୍ବାଚନ ଫଳାଫଳ ହିଁ ଏହାକୁ ପ୍ରମାଣିତ କରିସାରିଛି  । କାରଣ ୧୦ ବର୍ଷ ମଧ୍ୟରେ ଜାତୀୟ ଦଳ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟ ବରଣ କରିଛି  । ଗଣତାନ୍ତ୍ରିକ ଦେଶରେ କଂଗ୍ରେସ ବିପକ୍ଷ ପଦବୀରେ ବସିବାର ଅଧିକାର ମଧ୍ୟ ହରାଇଥିବା କହିଛନ୍ତି ପି.କେ  ।

ବର୍ତ୍ତମାନ ପ୍ରରିପ୍ରେକ୍ଷୀରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି  । ବିପକ୍ଷ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ମମତା ବାନାର୍ଜୀ ଏବେ ଠାରୁ ଶକ୍ତି ସଞ୍ଚୟ କରିବା ଆରମ୍ଭ କଲେଣି  । ଏବେ ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଅନେକ ଅଞ୍ଚଳିକ ଦଳର ସୁପ୍ରିମୋଙ୍କ ସହ ବୈଠକ ଜାରି ରଖିଛନ୍ତି  । ଏହାରି ଭିତରେ ମହାରାଷ୍ଟ୍ର ଗସ୍ତ କରିଥିବା ମମତା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ସେତେବେଳେ ବିକଳ୍ପ ଉଭା ହେବ  । ଯେତେବେଳେ ସମସ୍ତ ବିପକ୍ଷ ରାଜନୈତିକ ଦଳ ଏକଜୁଟ ହେବେ  । ଅର୍ଥାତ୍ ତୃତୀୟ ସାମୁଖ୍ୟ ପ୍ରସଙ୍ଗ ଉତାପନ କରିଛନ୍ତି ଟିଏମସି ସୁପ୍ରିମୋ  । ଯାହା କଂଗ୍ରେସର ସତ୍ତା ସ୍ୱପ୍ନ ବିପକ୍ଷରେ କଣ୍ଟା  ସାଜିବାକୁ ଯାଉଛି  ।

ଦିନେ କଂଗ୍ରେସ ହାତରେ ହାତ ମିଳାଇ ବାଟ ଚାଲୁଥିବା ମମତା ଏବେ ବାଧକ ସାଜିଛନ୍ତି  । କଂଗ୍ରେସ ନେତୃତ୍ୱଙ୍କୁ ମଧ୍ୟ ସିଧାସଳଖ ଆକ୍ଷେପ କରିଛନ୍ତି  । ସେ କହିଛନ୍ତି କଂଗ୍ରେସ ଟିକେଟରେ ବର୍ତ୍ତମାନ କେହି ନିର୍ବାଚନ ଲଢିପାରିବେ ନାହିଁ  । ତେବେ ଆମେ କେମିତି ଲଢିବୁ ? ତେଣୁ ସମସ୍ତ ଦଳ ମିଳିତ ନିର୍ବାଚନ ଲଢୁ ବୋଲି କହିଛନ୍ତି ମମତା  । ପ୍ରଶ୍ନ ଉଠୁଛି ଯେ କଂଗ୍ରେସ ଗଠବନ୍ଧନ ବା ୟୁପିଏର ନେତା କିଏ ? ତେବେ ମମତା ଏହା ମଧ୍ୟ କହିଛନ୍ତି, ଏହା ସ୍ପଷ୍ଟ ଯେ ବର୍ତ୍ତମାନ ୟୁପିଏର ନେତା ହେଉଛନ୍ତି ସୋନିଆ ଗାନ୍ଧୀ  । ତେବେ କିଛି ମାସ ପୂର୍ବେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ଭେଟି ଏକ ସମୀକରଣର ଖବର ଦେଇଥିବା ମମତା ବାନାର୍ଜୀ, ଏବେ ନିଜ ନେତୃତ୍ୱରେ ବିଜେପି ବିପକ୍ଷରେ ବକଳ୍ପ ବୋଲି ଆହ୍ୱାନ ଦେଇଛନ୍ତି  ।

Leave a Reply