ତାଙ୍କୁ ଦିଆଯାଇଥିବା ସମୟ ପୁରା ହୋଇ ସାରିଥିଲା,ମମତାଙ୍କ ଅଭିଯୋଗ ଉପରେ ସରକାରଙ୍କ ଉତ୍ତର

ନନ୍ଦିଘୋଷ ବ୍ୟୁରୋ: ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ହଙ୍ଗମା। ବିଭିନ୍ନ ପ୍ରସଙ୍ଗରେ ବୈଠକ ବର୍ଜନ କରିଛନ୍ତି ମମତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ତାଙ୍କ ମାଇକକୁ ମ୍ଯୁଟ କରିଦିଆଯାଇଥିବା ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ ମମତା। ପଶ୍ଚିମବଙ୍ଗକୁ ପାତରଅନ୍ତର କରାଯାଉଥିବା ସହ ପାଣ୍ଠି ପ୍ରଦାନ କରାଯାଉ ନଥିବା ଅଭିଯୋଗ କରି ମମତା ବୈଠକ ବର୍ଜନ କରିଥିଲେ। ସେ କହିଛନ୍ତି ତାଙ୍କୁ ମାତ୍ର ୫ ମିନଟ ସମୟ ଦିଆଯାଇଥିବାବେଳେ ଅନ୍ଯମାନଙ୍କୁ ୨୦ ମିନଟ ଲେଖାଏ ଦିଆଯାଇଥିଲା।  କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗିତା ଓ ସମନ୍ବୟ ବଜାର ରଖିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ଦସ୍ତାବିଜ ଉପରେ ଚର୍ଚ୍ଚା କରାଯାଉଛି । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ଚର୍ଚ୍ଚା ହେଉଛି । ବୈଠକରେ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ଯୋଗଦେଇନାହାନ୍ତି। ବୈଠକରେ ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନ, ପୁଡୁଚେରୀ ମୁଖ୍ଯମନ୍ତ୍ରୀ ଏନ. ରଙ୍ଗାସ୍ବାମୀ, କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ, ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍, କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସାମିଲ ହୋଇ ନଥିଲେ।

ମମତାଙ୍କ ଏହି ଅଭିଯୋଗକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ସରକାର କହିଛନ୍ତି ଯେ ମମତା ବାନାର୍ଜୀ ଦେଇଥିବା ସମସ୍ତ ଦାବି ଭୁଲ ଅଟେ। ସେ କହିଥିଲେ ଯେ ମମତା ବାନାର୍ଜୀଙ୍କ ମାଇକ୍ ସମୟ ଶେଷରେ ସୁଇଚ୍ ହୋଇଯାଇଥିଲା, ଏପରିକି ସମୟ ସୂଚାଇବା ପାଇଁ ଘଣ୍ଟି ମଧ୍ୟ ବଜାଯାଇ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାମ ଆଧାରରେ ମମତା ବାନାର୍ଜୀଙ୍କ କହିବା ମଧ୍ୟାହ୍ନ ଭୋଜନ ପରେ ଆସିବ, କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ସରକାରୀ ଅନୁରୋଧ କ୍ରମେ ତାଙ୍କୁ ସପ୍ତମ ବକ୍ତାଙ୍କ ସ୍ଥାନରେ କହିବାକୁ ଅନୁମତି ଦିଆଯାଇଛି। ତାଙ୍କୁ ଶୀଘ୍ର ଫେରିବାକୁ ପଡୁଥିବାରୁ ପଶ୍ଚିମବଙ୍ଗ ସରକାର ଶୀଘ୍ର କଥା ହେବାକୁ ଅନୁରୋଧ କରିଥିଲେ।