ପଦ୍ମ ଧରିଲେ ମମତା: ବିଜେଡି କହିଲା- ବିଜେପି ବିନାଶମୁଖୀ ରାସ୍ତା ଆପଣାଇଛି

ଭୁବନେଶ୍ବର: ବ୍ଯକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇଛନ୍ତି ମମତା ମହାନ୍ତ । ରାଜ୍ଯସଭାରୁ ଇସ୍ତଫା ଦେଇ ତାଙ୍କ ଆସନଟି ସେ ଜାତୀୟ ଦଳକୁ ସମର୍ପି ଦେଇଛନ୍ତି ବୋଲି ଅଭିଯୋଗ କରି ସମାଲୋଚନା କରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ କହିଛନ୍ତି, ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ମମତା ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ରରେ ସେ ଯାହା କହିଛନ୍ତି ତାହା ଅତ୍ଯନ୍ତ ନିନ୍ଦନୀୟ ।

ମହିଳାଙ୍କୁ ସଶକ୍ତ କରିବାକୁ ନବୀନ ସରକାର ଅନେକ ଯୋଜନା କରିଥିଲେ । ମମତାଙ୍କ ଭଳି ଜଣେ ପଛୁଆ ଓ କୁଡୁମୀ ସମାଜର ମହିଳାଙ୍କୁ ପ୍ରଥମେ ଜିଲ୍ଲା ପରିଷଦ ସଦସ୍ଯ ପରେ ଜିଲ୍ଲା ସଭାନେତ୍ରୀ ଓ ପରିଶେଷରେ ରାଜ୍ଯସଭା ସଦସ୍ଯ ଭାବେ ବିଜେଡି ରାଜ୍ଯସଭାକୁ ପଠାଇଥିଲା । କୁଡୁମୀ ସମାଜ ପାଇଁ ଅନେକ କିଛି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ କୁଡୁମୀ ଭବନ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ରାଇରଙ୍ଗଫୁରଠାରେ କୁଡୁମୀ ଭବନ ନିର୍ମାଣ ପାଇଁ ୩୦ ଡେସିମିଲ ଜମି ଓ ଏକ କୋଟି ଟଙ୍କା ଦିଆଯାଇଥିଲା । ତାହା ଏବେ ନିର୍ମାଣାଧୀନ ରହିଛି । ମମତା ଇସ୍ତଫାପତ୍ରରେ ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ଭିତ୍ତିହୀନ ଓ ନିନ୍ଦନୀୟ । କେବଳ ନିଜର ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଖାଲି ବିଜେଡି ନୁହେଁ ବରଂ କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି । ମୟୂରଭଞ୍ଜବାସୀ ଆଗାମୀଦିନରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି ମମତା । ଯଦି ସେ କାମ କରିବାକୁ ସୁଯୋଗ ପାଉ ନଥିଲେ ତେବେ ସେ ବିଜେଡିରୁ ଇସ୍ତଫା ଦେଇଥାନ୍ତେ । ହେଲେ ସେ ସେପରି ନକରି ତାଙ୍କ ଆସନଟି ଜାତୀୟ ଦଳକୁ ସମର୍ପି ଦେଇଛନ୍ତି । ଗତକାଲି ମମତା ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇଥିବାବେଳେ ଆଜି ନୂଆଦିଲ୍ଲୀଠାରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେପଟେ ମମତାଙ୍କୁ ନେଇ ରାଇରଙ୍ଗପୁର ବିଜେଡି ଓ କୁଡୁମୀ ସମ୍ପ୍ରଦାୟ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକରେ ମମତା ମହାନ୍ତଙ୍କ ବିରୋଧରେ ନାରାବାଜି ସହିତ କୁଶ ପୁତ୍ତଳିକା ଦାହ କରାଯାଇଛି । କୌଣସି କାରଣ ନ ଥାଇ ବିଜେଡିରୁ ଇସ୍ତଫା ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛି ଦଳ । ମମତାଙ୍କୁ କୌଣସି ଅଣଦେଖା କରାଯାଇ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।