ମୋଦିଙ୍କୁ ପଶ୍ଚିମବଙ୍ଗ ଆସିବାକୁ କ’ଣ ପାଇଁ କହିଲେ ମମତା ?

କୋଲକାତା: ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ ତାଣ୍ଡବ ସୃଷ୍ଟି କରିଛି । ଅମ୍ଫାନ ଏମିତି ଧ୍ୱଂସଲୀଳା ସୃଷ୍ଟି କରିଛି ଯେ, କେନ୍ଦ୍ର ନେତାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନାପସନ୍ଦ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ରାଜ୍ୟ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

୧୬୦ରୁ ୧୮୦ କିଲୋମିଟର ବେଗରେ ଆସିଥିବା ଅମ୍ଫାନ ମାଡରେ କୋଲକୋତା ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ପାଣି ଭର୍ତ୍ତି ହୋଇଯାଇଛି । ପଶ୍ଚିମବଙ୍ଗରେ କେତେ ପରିମାଣରେ କ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦାବି ଯେ, ଅମ୍ଫାନ ୭୨ ଜଣଙ୍କ ଜୀବନ ନେଇଛି  । ଏହା ସହ ମମତା ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ  ପଶ୍ଚିମବଙ୍ଗ ଗସ୍ତରେ ଆସନ୍ତୁ ।

ମୋଦି ରାଜ୍ୟ ଗସ୍ତରେ ଆସନ୍ତୁ

ମମତା ବାନାର୍ଜୀ କହିଛନ୍ତି ଯେ, ଏବେ ରାଜ୍ୟର ସ୍ଥିତି ଠିକ୍ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ଗସ୍ତରେ ଆସନ୍ତୁ ବୋଲି ମୁଁ ଦାବି କରୁଛି । ମୁଁ ମଧ୍ୟ ଆକାଶ ମାର୍ଗରୁ କ୍ଷୟକ୍ଷତି ଆକଳନ କରିବି । କିନ୍ତୁ ଏବେ ମୁଁ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି । ସେ ମଧ୍ୟ ବାତ୍ୟାରେ  ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ମମତାଙ୍କ ଅନୁସାରେ କୋଲକୋତାରେ ୧୫,ହାୱଡାରେ ୭,ଉତ୍ତର ୨୪ ପ୍ରଗଣାରେ୧୭,ପୂର୍ବ ମେଦିନପୁରରେ ୬,ଦକ୍ଷୀଣ ୨୪ ପ୍ରଗଣାରେ ୧୮ ଓ ହୁଗୁଳିରେ ୨ ଜଣ ପ୍ରାଣ ହରାଇଛନ୍ତି ।

ପଶ୍ଚିମବଙ୍ଗରେ ସର୍ବାଧିକ ଧ୍ୱଂସ

ବୁଧବାର ଦିନ ଆସିଥିବା ଅମ୍ଫାନ ବାତ୍ୟା କାରଣରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହୋଇଛନ୍ତି । କିନ୍ତୁ ସର୍ବାଧିକ ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗ  । କୋଲକୋତାର ଅନେକ ସ୍ଥାନରେ ପାଣି ଜମିଯାଇଛି । କୋଲକୋତା ବିମାନବନ୍ଦର ପୋଖରିର ଭ୍ରମ ସୃଷ୍ଟି କରୁଛି । ୬ ଘଣ୍ଟା ଧରି ଚାଲିଥିବା ବାତ୍ୟା କାରଣରୁ ବିମାନବନ୍ଦରର ବ୍ୟାପକ କ୍ଷତି ହୋଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

Leave a Reply