ମାନୁ ନାହାନ୍ତି ପାୱାର, ମନାଇବାକୁ ଘରେ ପହଞ୍ଚିଲେ ମମତା

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆ ଚେହେରା ଖୋଜିବାରେ ବ୍ୟସ୍ତ ବିରୋଧୀ ଟିମ  । ଏନସିପି ନେତା ଶରଦ ପାୱାରଙ୍କୁ ମଙ୍ଗ ଧରାଇବାକୁ ଚାହୁଁଛି ବିରୋଧୀ କ୍ୟାମ୍ପ। ତାଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବାମଦଳ ନେତା ମଧ୍ୟ ପାୱାରଙ୍କୁ ସାକ୍ଷାତ କରିସାରିଲେଣି । କିନ୍ତୁ ବିରୋଧୀ ମେଣ୍ଟର ମୁଖିଆ ହେବାକୁ ଚାହୁଁ ନାହାନ୍ତି ପାୱାର  । ଯାହା ଫଳରେ ଅନ୍ୟ ନେତାଙ୍କ ପାଇଁ ଚାଲିଛି ବିଚାର  । ସମ୍ଭବତଃ ବିକଳ୍ପ ଭାବେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ସମ୍ପର୍କ କରାଯାଉଛି  ।

ବିଜେପିକୁ ଘେରିବା ପାଇଁ ମମତାଙ୍କ ନେତୃତ୍ବରେ ବିରୋଧୀ ସଜବାଜ ହେଉଛନ୍ତି। ଛୋଟବଡ ଆଞ୍ଚଳିକ ଦଳ ମଧ୍ୟ ବିରୋଧୀ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ନିର୍ବାଚନ ଲଢିବା ମୁଡରେ ନାହାନ୍ତି ପାୱାର  । ଏନସିପି ସଦସ୍ୟଙ୍କ ସହ ବସିଥିବା ବୈଠକରେ ସେ କହିଛନ୍ତି ‘ମୁଁ ରେସରେ ନାହିଁ, ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ ନାହିଁ’ । ଯାହାପରେ ଟିଏମସି ନେତା ମମତା ପାୱାରଙ୍କ ଘରକୁ ଯାଇ ତାଙ୍କୁ ରାଜି କରିବାକୁ ଚେଷ୍ଟା କରିଛନ୍ତି  । ଏହା ପରେ ବାମଦଳ ନେତା ସୀତାରାମ ୟେଚୁରୀ ଓ ଡି ରାଜା ମଧ୍ୟ ପାୱାରଙ୍କୁ ଭେଟିଛନ୍ତି  ।

ବୁଧବାର ମମତା ବାନାର୍ଜୀଙ୍କ ଆହ୍ବାନରେ ଆଜି ଦିଲ୍ଲୀରେ ଏକାଠି ହେବେ ବିରୋଧୀ । ଆଉ ଏହି ବୈଠକରେ ସାମିଲ ହେବେ ପାୱାର  । କାରଣ ଦେଶରେ ରାଜନୈତିକ ସ୍ଥିତିକୁ ଦେଖି ଧର୍ମନିରପେକ୍ଷ, ଲୋକତନ୍ତ୍ର ଓ ଶକ୍ତି ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି  । କୁହାଯାଉଛି ଯେ କଂଗ୍ରେସ ଓ ବାମଦଳ ନେତା ମମତାଙ୍କ ‘ଏକତରଫା’ ମେଣ୍ଟ ସପକ୍ଷରେ ନଥିଲେ  । ମାତ୍ର ଶାସକକୁ ଚେକ୍‌ ଦେବା ପାଇଁ ଏକଜୁଟ ହେବେ ବିରୋଧୀ  ।

କଂଗ୍ରେସର ମଲିକ୍କାର୍ଜୁନ ଖଡଗେ, ଜୟରାମ ରମେଶ ଓ ରଣଦୀପ ସୁରଜେୱାଲା, ସମାଜବାଦୀ ପାର୍ଟି, ଆରଜେଡି, ଶିବସେନା ପ୍ରମୁଖ ପାର୍ଟି ମମତାଙ୍କ ବୈଠକରେ ସାମିଲ ହେବେ  । କିନ୍ତୁ ଆମ ଆଦମୀ ପାର୍ଟି ଏ ପର୍ଯ୍ୟନ୍ତ ନିଜ ପକ୍ଷ ରଖିନି  ।