ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟ୍‌ରେ ବ୍ଳକ୍ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ବିବାଦରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଳକ୍ କଲେ ମମତା । ଟ୍ୱିଟରରେ ରାଜ୍ୟପାଳ କରୁଥିବା ପୋଷ୍ଟରେ ବିରକ୍ତ ହୋଇ ସେ ଏଭଳି କରିଥିବା କହିଛନ୍ତି । ସେ ଗଣମାଧ୍ୟମକୁ ସୂଚିତ କରି କହିଛନ୍ତି ଯେ, ରାଜ୍ୟପାଳ ତାଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି। ଏମିତିକି ରାଜ୍ୟ ମୁଖ୍ୟ ସଚିବ, ପୋଲିସ ଡିଜିଙ୍କୁ ରାଜ୍ୟପାଳ ଧମକ ଦେଉଥିବା ମମତା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଶ୍ରମିକଙ୍କ ଭଳି ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ମୁଁ ଅନେକଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ରାଜ୍ୟପାଳ ହଟାଇବା ନେଇ ଅନୁରୋଧ କରିଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଆମେ ଗତ ବର୍ଷେ ହେଲା ହଇରାଣ ହେଉଛେ। ରାଜ୍ୟପାଳ ଅନେକ ଫାଇଲ କ୍ଲିଅର କରୁ ନାହାନ୍ତି । ସେ ସବୁ ଫାଇଲକୁ ପକାଇ ରଖୁଛନ୍ତି। ତେଣୁ ସେ କେମିତି ପଲିସି ନିଷ୍ପତ୍ତି ଉପରେ କହିପାରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି।

ସେହିପରି ତାଙ୍କ ଫୋନ୍‌ ଟ୍ୟାପିଂ ପାଇଁ ସେ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। ରାଜ୍ୟପାଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଧମକାଉଛନ୍ତି ବୋଲି ମମତା ଅଭିଯୋଗ ଆଣିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍‌ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ସକାଳେ ରାଜ୍ୟପାଳ  ଟ୍ୱିଟ୍ କରି ମୋତେ ଆକ୍ରମଣ କରୁଛନ୍ତି। ଏଠି ସେ କେବଳ ମହାନ ଆଉ ଆମେ ଦାଦନ ଶ୍ରମିକ। ମୁଁ ଏହି ମାନସିକତାକୁ ଗ୍ରହଣ କରିପାରୁ ନାହିଁ। ତେଣୁ ମୁଁ ତାଙ୍କୁ ଆଜି ଟ୍ୱିଟରରେ ବ୍ଲକ କରିଦେଇଛି ବୋଲି ମମତା କହିଛନ୍ତି ।

Leave a Reply