ବିଜେପି ବିରୋଧରେ ଏକାଠି ହେବାକୁ ଚିଠି ଲେଖିଲେ ମମତା ! ଜାଣନ୍ତୁ କାହିଁକି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମମତା । ଏହାସହ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଜେପି ଦଳ ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ କହିଛନ୍ତି । ତେବେ ସେ ଯେଉଁ ନେତାମାନଙ୍କୁ ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ବିଜେପି ଦଳର ନୁହଁନ୍ତି । ସେ କେନ୍ଦ୍ରିୟ ଏଜେନ୍ସି ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ କରି ଏହି ବୈଠକ ଡାକିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ଚିଠିରେ ଲେଖିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡିକ ଏବଂ ଆୟକର ବିଭାଗର ବ୍ୟବହାର ପ୍ରତିଶୋଧ ନେବା ପାଇଁ କରାଯାଉଛି  । କେନ୍ଦ୍ରୀୟ ଏଜେନନ୍ସି ଜରିଆରେ ଦେଶରେ ଥିବା ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରି ସେମାନଙ୍କୁ ହଇରାଣ କରାଯାଉଛି । ତେଣୁ ଆମେ ସମସ୍ତେ ମିଶି ବିଜେପି କରୁଥିବା କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ରୋକିବାକୁ ପଡ଼ିବ । ଯେତେବେଳେ ବି ନିର୍ବାଚନ ପାଖେଇ ଆସେ ସେତେବେଳେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଟାର୍ଗେଟ କରିବା ଆରମ୍ଭ କରନ୍ତି ।

ଏହାସହ ମମତା ଚିଠିରେ ଲେଖିଛନ୍ତି ଯେ, ନ୍ୟାୟପାଳିକାକୁ ମୁଁ ସମ୍ମାନ କରେ । କିନ୍ତୁ ବର୍ତ୍ତମାନ କିଛି ପକ୍ଷପାତପୂର୍ଣ୍ଣ ରାଜନୈତିକ ହସ୍ତକ୍ଷପ କାରଣରୁ ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ ଯାହା ଆମ ଗଣତନ୍ତ୍ରରେ ଖରାପ ପ୍ରଭାବ ପକାଇବ । ଆମ ଗଣତନ୍ତ୍ରର ବ୍ୟବସ୍ଥାରେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଜନତା ମହତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଯଦି କୌଣସିଟିରେ କିଛି ବାଧା ହୁଏ ତେବେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଧ୍ୱଂସ ହୋଇଯାଏ ।