spot_img

Latest Posts

ଦିଦିଙ୍କ ଭବିଷ୍ୟତବାଣୀ, ଆଗୁଆ ହେବ ନିର୍ବାଚନ, ବିଜେପି ବୁକିଂ କରିସାରିଛି ହେଲିକପ୍ଟର

ନୂଆଦିଲ୍ଲୀ: ଦେଶରେ ହେବ କି ଆଗୁଆ ନିର୍ବାଚନ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ଏବେଠୁ ଜୋର ଧରିଲାଣି ଚର୍ଚ୍ଚା। ଗତକାଲି ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଇ ଡିସେମ୍ବର କିମ୍ବା ଜାନୁଆରୀରେ କେନ୍ଦ୍ର ନିର୍ବାଚନ କରାଇପାରେ ବୋଲି କହିଛନ୍ତି ମମତା ।

ଟିଏମସି ଯୁବ ସଂଗଠନର ସମାବେଶକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି କ୍ରମାଗତ ତୃତୀୟ ଥର ପାଇଁ ଦେଶର କ୍ଷମତାକୁ ଫେରିବ ତେବେ ଦେଶକୁ ଏକଛତ୍ରବାଦୀ ଶାସନର ସାମ୍ନା କରିବାକୁ ପଡିବ ।

ଏଥିପାଇଁ ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିସାରିଛି । ଅନ୍ୟମାନେ ଯେପରି ଠିକ୍ ଭାବେ ପ୍ରଚାର କରି ପାରିବେନି ତାକୁ ନଜରରେ ରଖି ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିଥିବା ମମତା କହିଛନ୍ତି। ମମତାଙ୍କ ଆକଳନକୁ ନେଇ ଏବଂ ଦେଶରେ ରାଜନୈତିକ ମାହୋଲ ଗରମ ହୋଇଛି ।

କିନ୍ତୁ ଏହି ଗରମ ମାହୋଲ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସେ ଏହି କଥାକୁ ଖଣ୍ଡନ କରିଛନ୍ତି। ନିର୍ବାଚନ ଦେଶର ସବୁଠାରୁ ବଡ଼ ପ୍ରକ୍ରିୟା। ସେଥିପାଇଁ ପ୍ରସ୍ତୁତି ଲମ୍ବା ସମୟ ଧରି ଚାଲୁଛି। ତେବେ ପ୍ରସ୍ତୁତି ସହ ଶୀଘ୍ର ନିର୍ବାଚନ ହେବାର କୌଣସି ଲିଙ୍କ ନାହିଁ ବୋଲି ସିଇଓ କହିଛନ୍ତି।

ଜୁଲାଇ ସୁଦ୍ଧା ରାଜ୍ୟ ସମସ୍ତ ଇଭିଏମ ପାଇସାରିଛି। ଅକ୍ଟୋବର ୧ରୁ ଇଭିଏମ ଚେକିଂ ଆରମ୍ଭ ହୋଇ ନଭେମ୍ବରରେ ଶେଷ ହେବ। ଆସନ୍ତା ୧୩ରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନକୁ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ସିଇଓ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଟାଳି ଦେଉଥିବା ବେଳେ ସେପ୍ଟେମ୍ବରରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ବିଶେଷଜ୍ଞ। ଆଗୁଆ ନିର୍ବାଚନ ନେଇ ଏହା ଏକ ବଡ଼ ସଂକେତ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ମଧ୍ୟ ବୟାନବାଜି ଜାରି ରଖିଛନ୍ତି। ଡିସେମ୍ବରରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ସହ ସାଧାରଣ ନିର୍ବାଚନ ମିଶାଇ କରିବାକୁ କେନ୍ଦ୍ର ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

Latest Posts

Don't Miss