ଟିକା କିଣା ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମମତାଙ୍କ ସମର୍ଥନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ।  ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ନବୀନ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ମମତା । ଏଥିସହିିତ ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ କ୍ଷମତାର ବିକେନ୍ଦ୍ରୀକରଣ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ କରିଛନ୍ତି ମମତା । ଏ ସମ୍ପର୍କରେ ନବୀନ ତାଙ୍କ ସହ ଫୋନ୍ ଯାେଗେ କଥା ହୋଇଛନ୍ତି ଏବଂ ଏହି ପ୍ରସ୍ତାବକୁ ସେ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଭ୍ୟାକ୍ସିନ କିଣିବାକୁ ଚାହୁଁଥିବା ରାଜ୍ୟମାନଙ୍କ ପାଇଁ ବିଶ୍ବ ବଜାରରୁ ଟିକା କିଣି ରାଜ୍ୟଗୁଡିକ ମଧ୍ୟରେ ଯଥାଶୀଘ୍ର ବିତରଣ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟମାନେ ସହମତ ହେଲେ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ହେଲା କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କ  ଯୋଗାଇ ଦିଅନ୍ତୁ। ଦ୍ୱିତୀୟଟି ହେଲା ଟିକାକାରଣ ଯୋଜନାର ବିକେନ୍ଦ୍ରିକରଣ ସାଙ୍ଗକୁ ଟିକାଦାନ ପଦ୍ଧତ୍ତିକୁ ସରଳିକାରଣ କରି ରାଜ୍ୟକୁ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା । ଉଦାହରଣ ସ୍ୱରୂପ ଆଭ୍ୟନ୍ତରୀଣ ଓ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଯଥେଷ୍ଟ ଇଣ୍ଟରନେଟ ସୁବିଧା ନଥିବାରୁ ଟିକା ନେବାପାଇଁ ଅନଲାଇନ ପଞ୍ଜୀକରଣ କରିପାରୁନାହାନ୍ତି । ତେଣୁ ସେମାନଙ୍କୁ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ନିଜସ୍ୱ ନୀତି ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏହି ଦୁଇଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଟେଲିଫୋନରେ କଥା ହୋଇଛନ୍ତି । ଏହି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ମଧ୍ୟ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟକୁ ଦିଆଯାଉ କ୍ଷମତା’

Leave a Reply